ବଲାଙ୍ଗୀର : ହାତ ଯୋଡ଼ୁଛନ୍ତି, ନେହୁରା ବି ହେଉଛନ୍ତି । ବାରମ୍ବାର ଗୋଟିଏ କଥା କହୁଛନ୍ତି, ମୁଁ ପାକିସ୍ତାନ ଯିବିନି । ସେଇଠି ନା ମୁଁ କାହାକୁ ଜାଣିଛି ନା କାହା ସହ କଥା ହୁଏ । ବାହାସାହା ହେଲି, ପିଲାଛୁଆ ସଂସାର ମୋର ଏଇଠି । ଏବେ ତଡ଼ିଲେ ମୁଁ ଯିବି କୁଆଡ଼େ । କଥା ଶୁଣିବା ପରେ ଆପଣ ନିଶ୍ଚୟ ଭାବୁଥିବେ କିଏ ସେ ମହିଳା ଜଣକ । କାହିଁକି ଏମିତି ନେହୁରା ହେଉଛନ୍ତି । କଣ ତାଙ୍କ ଅନୁରୋଧ ।
ସିଏ ହେଉଛନ୍ତି ଜଣେ ପାକିସ୍ତାନୀ । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୩୫ ବର୍ଷ ହେଲାଣି ସେ ପାକିସ୍ତାନ ଛାଡ଼ି ଭାରତରେ ଅବସ୍ଥାପିତ । ନାଁ ତାଙ୍କର ସାରଦା କୁକ୍ରେଜା । ଏବେର ଘର ବଲାଙ୍ଗୀରରେ । ଦିନଥିଲା ସେ ପାକିସ୍ତାନୀ ଥିଲେ । ହେଲେ ବର୍ଷବର୍ଷ ଧରି ସେ ଭାରତରେ ରହିଲେଣି । ଖାଲି ଭାରତରେ ରହିଛନ୍ତି ତାହା ନୁହେଁ ବରଂ ଭାରତବାସୀ ବୋଲି ସେ କହିବାକୁ ପଛାଉନାହାନ୍ତି । ପହଲଗାମ୍ରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ଦେଶରେ ଥିବା ସବୁ ପାକିସ୍ତାନୀଙ୍କୁ ତଡ଼ିପାର କରିବାକୁ ନିର୍ଦ୍ଦେଶ ଦେବା ପରେ ସାରଦା ଏବେ ଚିନ୍ତାରେ ।
ସେଦିନ ଥିଲା ୧୯୮୬ ମସିହା । ପାକିସ୍ତାନରୁ ଭାରତ ପଳାଇ ଆସିଥିଲେ ଜୀବନ ବଂଚାଇବା ପାଇଁ । ସାଙ୍ଗରେ ବାପା-ମାଆ, ଭାଇ-ଭଉଣୀ ସମସ୍ତେ ଆସିଥିଲେ । ସେବେ ପାକିସ୍ତାନୀରୁ ଆସିଥିବା ସମସ୍ତଙ୍କୁ ଭାରତୀୟ ନାଗରିକତାର ମାନ୍ୟତା ମିଳିଥିଲା । ହେଲେ ସାରଦା ସେଥିରୁ ବଞ୍ଚିତ ହୋଇଥିଲେ । ଧୀରେ ଧୀରେ ସେ ଭାରତରେ ରହିବାକୁ ଲାଗଲେ….ସଂସାର ବି କଲେ । ଏହାରି ଭିତରେ ୩୫ ବର୍ଷରୁ ଅଧିକ ହେଲାଣି । କେବେ ଏମିତି ସମସ୍ୟାର ସାମ୍ନା କରିନାହାନ୍ତି । ହେଲେ ଏବେ ପୁଲିସ୍ର ନୋଟିସ ମିଳିବା ପରେ ପୂରା ପରିବାର ଚିନ୍ତାରେ । ଯେହେତୁ ତାଙ୍କ କହିବା ଅନୁସାରେ, ପାକିସ୍ତାନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ତେଣୁ ସେଠାକୁ କେମିତି ଯିବେ, କାହା ପାଖରେ ରହିବେ ସେନେଇ ପ୍ରଶ୍ନ ଉଙ୍କି ମାରୁଛି ।
ଦୀର୍ଘ ୩୫ ବର୍ଷ ତଳେ ବଲାଙ୍ଗୀରର ମହେଶ କୁକ୍ରେଜା ପାକିସ୍ତାନୀ ଝିଅ ସାରଦା କୁକ୍ରେଜାଙ୍କୁ ବାହା ହୋଇଥିଲେ । ବାହାଘରର ଦଶନ୍ଧି ଦଶନ୍ଧି ପରେ ବି ସାରଦା ଭାରତୀୟ ନାଗରିକତ୍ୱ ପାଇ ପାରିନାହାନ୍ତି । ଏବେ ବି ପାକିସ୍ତାନୀ ଭିସାରେ ରହୁଛନ୍ତି । ତେଣୁ ଏବେ ଟେନ୍ସନ୍ ବଢିଯାଇଛି । ହେଲେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସେ ଯିବେ କି ନାହିଁ ତାହା ବି ପ୍ରଶ୍ନ ଘେରରେ ।
କଥାହେଲା, କେବଳ ସାରଦା ନୁହନ୍ତି ବରଂ ଅନେକ ପାକିସ୍ତାନୀ ଭାରତରେ ଅଛନ୍ତି । ହେଲେ କେନ୍ଦ୍ରର ନିର୍ଦ୍ଦେଶ, ତୁରନ୍ତ ନିଜ ଦେଶକୁ ଚାଲିଯାଅ । ହେଲେ ସାରଦାଙ୍କ କ୍ଷେତ୍ରରେ ତାହା ସମ୍ଭବ ହେଉନି । ଏବେ ସାରଦାଙ୍କ ପରିବାର ଆଗାମୀ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
(ବଲାଙ୍ଗୀରରୁ ଜ୍ୟୋସ୍ନାରାଣୀ ଦାସଙ୍କ ରିପୋର୍ଟ)