କନକ ବ୍ୟୁରୋ: ପହଲଗାମ ଆତଙ୍କୀ ହମ୍ଲା ପରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି । ପାକିସ୍ତାନ ବିରୋଧରେ ଲଗାତାର କଡ଼ା ପଦକ୍ଷେପ ନେଉଛି ଭାରତ । ଯୁଦ୍ଧ ସ୍ଥିତି ଉପୁଜିବା ପରେ ପାକିସ୍ତାନ ଛାତିରେ ଛନକା ପଶିଛି । ଏହାରି ଭିତରେ ପାକିସ୍ତାନ ମାନବିକତାକୁ ଲଜ୍ଜିତ କଲା ଭଳି କାମ କରିଛି । ଏହାକୁ ନେଇ ଖୋଦ ପାକିସ୍ତାନର ବିଦେଶ ମନ୍ତ୍ରୀ ସଂସଦରେ ସ୍ୱୀକାର କରିଛନ୍ତି । ପହଲଗାମ ଘଟଣାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଦେଇଥିବା ନିନ୍ଦା ପ୍ରସ୍ତାବରୁ ପାକିସ୍ତାନ TRF ବା ଦ ରେଜିଷ୍ଟାନ୍ସ ଫ୍ରଣ୍ଟ୍ର ନାଁ ହଟାଇଛି ।
ପହଲଗାମରେ ହୋଇଥିବା ଆତଙ୍କୀ ହମ୍ଲାର କରାଇଥିବା ସ୍ୱୀକାର କରିଥିଲା TRF ବା ଦ ରେଜିଷ୍ଟାନ୍ସ ଫ୍ରଣ୍ଟ୍ । ସବୁଠାରୁ ବଡ଼ କଥା ହେଉଛି ଆତଙ୍କବାଦୀ ଆକ୍ରମଣ ପରେ TRF ବା ରେଜିଷ୍ଟାନ୍ସ ଫ୍ରଣ୍ଟ୍ ବିରୋଧରେ ଭାରତ ଅଭିଯୋଗ କରିନଥିଲା । ଏହାପରେ ବି ଜାତିସଂଘର ନିନ୍ଦା ପ୍ରସ୍ତାବରୁ TRF ନାଁ ହଟାଇବାକୁ ଦାବି କରିଥିଲା ପାକିସ୍ତାନ । ପାକିସ୍ତାନ ବର୍ତ୍ତମାନ ଜାତିସଂଘରେ ଥିବା ୧୦ ଜଣ ଅସ୍ଥାୟୀ ସଦସ୍ୟମାନଙ୍କ ମଧ୍ୟରେ ସାମିଲ ରହିଛି, ଏଭଳି ଦେଶର ସଦସ୍ୟ ଦୁଇ ବର୍ଷକୁ ଥରେ ଲେଖାଏଁ ଚୟନ ହୋଇଥାଆନ୍ତି ।
ସଂସଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଦାର୍ କହିଛନ୍ତି, ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜାତିସଂଘ ଏକ ନିନ୍ଦା ପ୍ରସ୍ତାବ ଦେଇଥିଲା । ହେଲେ ଏଥିରେ କେବଳ ପହଲଗାମର ନାଁ ରହିଥିଲା । ପ୍ରସ୍ତାବରେ ଜମ୍ମୁକାଶ୍ମୀର ବିଷୟରେ କିଛି ଲେଖାନଥିଲା । ଏହାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଥିଲା । ଏହା ସହିତ ନିନ୍ଦା ପ୍ରସ୍ତାବରେ TRFକୁ ଆତଙ୍କୀ ଆକ୍ରମଣ ପାଇଁ ଦାୟୀ କରାଯାଇଥିଲା । ପାକିସ୍ତାନ ଏହି ନିନ୍ଦା ପ୍ରସ୍ତାବ ଉପରେ ହସ୍ତାକ୍ଷର କରିବାକୁ ମନା କରି ଦେଇଥିଲା । ନିନ୍ଦା ପ୍ରସ୍ତାବରେ ପରିବର୍ତ୍ତନ ପାଇଁ ଦାବି କରିଥିଲା ପାକିସ୍ତାନ ।
ଇଶାକ ଦାର କହିଛନ୍ତି ଜାତିସଂଘରେ ଥିବା ପାକିସ୍ତାନ ସଦସ୍ୟଙ୍କୁ ନିନ୍ଦା ପ୍ରସ୍ତାବର ବିରୋଧ କରିବାକୁ କୁହାଯାଇଥିଲା । ଏଥିରେ ପହଲଗାମ ସହ ଜମ୍ମୁ-କାଶ୍ମୀର ନାଁ ଲେଖାଇବାକୁ କୁହାଯାଇଥିଲା । ଏହାସହ TRF ନାଁ ହଟାଇବାକୁ ବି ଦାବି କରାଯାଇଥିଲା । TRF ଏହି ଆତଙ୍କବାଦୀ ଆକ୍ରମଣର ଦାୟିତ୍ୱ ନେଇନଥିବା ଦାବି କରିଛି ପାକିସ୍ତାନ । ଏହି ଆତଙ୍କୀ ସଂଗଠନକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ପାକିସ୍ତାନ । ଜାତିସଂଘରେ କୌଣସି ପ୍ରସ୍ତାବ ଆଗତ ହେଲେ ଏଥିରେ ସମସ୍ତ ସଦସ୍ୟଙ୍କ ସହମତି ଆବଶ୍ୟକ ହୋଇଥାଏ । ଅନ୍ୟଥା ଏହି ପ୍ରସ୍ତାବ ପାରିତ ହୋଇପାରେନି । ହେଲେ ପାକିସ୍ତାନ ଏହି ନିୟମ ଦ୍ୱାରା ଆତଙ୍କବାଦୀଙ୍କ ପାଇଁ ଓକିଲାତି କରିଛି ।
ପହଲଗାମ ଆତଙ୍କୀ ଆକ୍ରମଣ ଦାୟିତ୍ୱ ନେଇଛି TRF । ଏହା ଲସ୍କର-ଏ-ତୋଏବା ସହ ଯୋଡ଼ି ହୋଇଥିବା ଏକ ସଂଗଠନ । ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ନିଜର ଖାସ ଟେରର୍ ମଡ୍ୟୁଲ ଫାଲ୍କନ୍ ସ୍କ୍ୱାଡ୍ର ବ୍ୟବହାର କରିଥିଲା । ଏହି ଗ୍ରୁପ ଅତ୍ୟନ୍ତ ନିର୍ଦ୍ଦୟୀ । ଏଭଳି ଆତଙ୍କୀ ମିଶନ ଶେଷ କରିବା ଗ୍ରୁପ୍ ଛାଡ଼ି ଅନ୍ୟ ଆତଙ୍କୀ ସଂଗଠନରେ ଯୋଗ ଦେଇଥାଆନ୍ତି ।