କନକ ବ୍ୟୁରୋ: ଆଉ କେଇଟା ଦିନ ପରେ ନୂଆଁଖାଇ। ଚଳଚଞ୍ଚଳ ହେଲାଣି ଗାଁ ଗଣ୍ଡା। କଳାହାଣ୍ଡି ଜିଲ୍ଲାରେ ନୂଆଖାଇ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ। ଏପଟେ ପେଟପାଟଣା ପାଇଁ ଭିଟା ମାଟିକୁ ଛାଡିଥିବା ଦାଦନ ଶ୍ରମିକ ଏଯାଏଁ ଘରକୁ ଫେରିନାହାନ୍ତି । ନିଜର ଗଣପର୍ବରେ ସାମିଲ ହେବାକୁ ଇଚ୍ଛା ଥିଲେ ମଧ୍ୟ ତାହା ସମ୍ଭବ ହେଉନାହିଁ। କାରଣ ଦାଦନ ସର୍ଦାର ଠାରୁ ଆଗୁଆ ଆଣିଥିବା ଅର୍ଥ ଏଯାଏଁ ସୁଝି ହୋଇନାହିଁ । ତେଣୁ ନୂଆଁଖାଇରେ ସାମିଲ ହେବାର ଆଶା ମରିଯାଇଛି, ଦାଦନ ଶ୍ରମିକ ଘରେ ତାଲା ଝୁଲୁଛି।

ରବିବାର ନୂଆଁଖାଇ। ଏଥର ଗଣପର୍ବରେ ସାମିଲ ହୋଇନପାରନ୍ତି କଳାହାଣ୍ଡିର ହଜାରହଜାର ଦାଦନ ଶ୍ରମିକ । ଗାଁ ଗଣ୍ଡାରେ ଦାଦନ ଶ୍ରମିକଙ୍କ ଘରେ ଝୁଲୁଥିବା ତାଲାକୁ ଦେଖିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି। ସପରିବାର ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି। କେବେ ଫେରିବେ ତାର ଠିକ୍ ଠିକଣା ନାହିଁ। ପର୍ବପର୍ବାଣି ବେଳେ ପ୍ରତ୍ୟେକ ଗରିବ ପରିବାରର ସେହି ସମାନ କାହାଣୀ।

ଅଭାବୀ ପରିବାର ଦୁଃଖର ଫାଇଦା ଉଠାଉଛନ୍ତି ଦାଦନ ସର୍ଦ୍ଦାର। ଅଗ୍ରୀମ ଦେଇ ଶ୍ରମିକଙ୍କୁ ଘରୁ ନେଇ ଯାଉଛନ୍ତି। ଟଙ୍କା ପରିଶୋଧ ନହେବା ଯାଏଁ ଆଉ ଛାଡୁ ନାହାନ୍ତି। ଅଭିଯୋଗ ଅନୁଯାୟୀ, କଳାହାଣ୍ଡିର ଅନେକ ପରିବାର ଦାଦନ ଖଟିବାକୁ ଯାଇଛନ୍ତି । କିଛି ପରିବାର ନୂଆଁଖାଇ ପାଇଁ ଗାଁକୁ ଫେରୁଥିବା ବେଳେ ଅନେକ ଶ୍ରମିକ ଇଚ୍ଛା ଥାଇ ଆସିପାରନ୍ତି ନାହିଁ। କିଏ ବୁଝିବ ଏ ଦାଦନ ଦୁଃଖ?