କନକବ୍ୟୁରୋ : ପୁଣି ଜନନୀ ଯନ୍ତ୍ରଣା। ୫ କିଲୋମିଟର ଭାରାରେ ବୁହା ହେଲେ ପ୍ରସୂତି । ଗାଁ କୁ ଯିବାକୁ ରାସ୍ତା ନଥିବାରୁ ଅଧାରେ ଅଟକିଲା ୧୦୮ ଆମ୍ବୁଲାନ୍ସ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା- କଳାହାଣ୍ଡି ଜିଲ୍ଲା ସୀମାନ୍ତ ଥୁଆମୂଳ ରାମପୁର ବ୍ଲକ ମାଳତୀ ପଦର ଗାଁରେ । ଗତ ରାତିରେ ଅନିତା ମାଝୀଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।
କିନ୍ତୁ ଆମ୍ବୁଲାନ୍ସ ପାଞ୍ଚ କିଲୋମିଟର ଦୂରରେ ଅଟକି ରହିଥିଲା । କାରଣ ଗାଁ ଏବଂ ମୁଖ୍ୟରାସ୍ତା ମଝିରେ ନାଗାବଳୀ ନଦୀର ପ୍ରଖର ସୁଅ ଥିଲା । ପରିବାର ଲୋକେ ବାଧ୍ୟ ହୋଇ ୫ କିଲୋମିଟର ରାସ୍ତା ଭାରରେ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ । ପରଵର୍ତ୍ତୀ ସମୟରେ ତାଙ୍କୁ କଲ୍ୟାଣସିଂହପୁର ଡାକ୍ତର ଖାନା ଅଣାଯାଇଥିଲା । ସେଇଠି ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ନାଗାବଳି ନଦୀ ଉପରେ ନିର୍ମିତ ଅଧପନ୍ତରିଆ ପୋଲ କାମ ଶୀଘ୍ର ସାରିବାକୁ ଦାବି ହୋଇଛି।