କନକ ବ୍ୟୁରୋ : ଭାରତୀୟ ସ୍ବାଧୀନତା ସଂଗ୍ରାମର ଆଦ୍ୟକାଳରେ ନିଜ ମାତୃଭୂମିର ମୁକ୍ତି ପାଇଁ ଇଂରେଜ ଶକ୍ତି ସହ ବୀର ଦର୍ପରେ ଲଢ଼ିଥିବା ପାଇକ ମହାନାୟକ ଥିଲେ ବକ୍ସି ଜଗବନ୍ଧୁ । ୧୭୭୩ ମସିହାରେ ଏହି ମହାନ୍ ଆତ୍ମାଙ୍କର ଜନ୍ମ ହୋଇଥିଲା । ପୂରା ନାମ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ୧୮୦୩ରେ ଓଡ଼ିଶାର ଅଧିକାଂଶ ଅଞ୍ଚଳ ବ୍ରିଟିସ୍ ଇଷ୍ଟ ଇଣ୍ଡିଆ କମ୍ପାନି ଅଧୀନକୁ ଚାଲିଯାଇଥିଲା । ପର ବର୍ଷ ଏହାକୁ ବିରୋଧ କରି ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ବ୍ରିଟିସ୍‌ଙ୍କ ବିରୋଧରେ ବିଦ୍ରୋହର ସୂତ୍ରପାତ କରିଥିଲେ । ତେବେ ବ୍ରିଟିସମାନେ ଏହି ବିଦ୍ରୋହକୁ ଦମନ କରି ଖୋର୍ଦ୍ଧା ରାଜାଙ୍କୁ ବନ୍ଦୀ କରିନେଇଥିଲେ । ଏହା ପରେ ପାଇକଙ୍କ ଉପରେ ବ୍ରିଟିସ୍ ପ୍ରଶାସନର ଅତ୍ୟାଚାର ଆରମ୍ଭ ହେଲା । ପୁରୁଷାନୁକ୍ରମିକ ଭାବେ ଜଗବନ୍ଧୁ ବିଦ୍ୟାଧର ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କ ସଶସ୍ତ୍ର ସେନାବାହିନୀର ସେନାଧ୍ୟକ୍ଷ ବା ‘ବକ୍ସି’ ନିଯୁକ୍ତ ହୋଇଥିଲେ । ସେ ସମୟରେ ରାଜା ତାଙ୍କୁ ଜାଗିରି ସୂତ୍ରରେ ରୋଡ଼ଙ୍ଗ ଜମିଦାରି ପ୍ରଦାନ କରିଥିଲେ । କିନ୍ତୁ ବ୍ରିଟିସ୍‌ ପ୍ରଶାସନ ତାଙ୍କ ପାଖରୁ କ୍ରମେ ସବୁ ଜମିବାଡ଼ି ଛଡ଼ାଇନେଇ ନିଲାମ କରିଦେଲେ । ୧୮୧୭ ବେଳକୁ ସେ ସର୍ବସ୍ବାନ୍ତ ହୋଇଯାଇଥିଲେ । ଏଥି ସହିତ ବର୍ଷ ପରେ ବର୍ଷ ପ୍ରଜାଙ୍କ ଉପରେ ବ୍ରିଟିସ୍ କର୍ମଚାରୀଙ୍କ ଅତ୍ୟାଚାର ବଢ଼ିବାକୁ ଲାଗିଥିଲା । ଏହାର ପ୍ରତିକ୍ରିୟାସ୍ବରୂପ ପାଇକମାନେ ବିଦ୍ରୋହ ସଂଗଠିତ କରିବାର ନିଷ୍ପତ୍ତି ନେଇଥିଲେ ।

Advertisment
buxi-jagabandhu
buxi-jagabandhu Photograph: (google)

ବକ୍ସି ଜଗବନ୍ଧୁ ବିପ୍ଳବୀ ପାଇକମାନଙ୍କ ନେତୃତ୍ବ ନେଲେ ଏବଂ ୧୮୧୭ ମାର୍ଚ୍ଚ ମାସରେ ଘୁମୁସର ଅଞ୍ଚଳର ଚାରି ଶହ କନ୍ଧ ଆଦିବାସୀ କନ୍ଧମାଳର ଘଞ୍ଚ ଜଙ୍ଗଲ ଅତିକ୍ରମ କରି ଖୋର୍ଦ୍ଧାରେ ପହଞ୍ଚିଥିଲେ । ପ୍ରଥମେ ବାଣପୁରରେ ବିଦ୍ରୋହ ଆରମ୍ଭ ହୋଇଥିଲା । ବାଣପୁର ଥାନା ଓ କଚେରି ଉପରେ ଆକ୍ରମଣ କରି ସରକାରୀ ସମ୍ପତ୍ତି ଲୁଟ୍ କରିନେଇଥିଲେ । ଖୋର୍ଦ୍ଧାର ପାଇକମାନେ ଏହାର ସୁଯୋଗ ନେଇ ଅତ୍ୟାଚାରୀ ବ୍ରିଟିସ୍ ଶାସନ ବିରୋଧରେ ବିଦ୍ରୋହ ଆରମ୍ଭ କଲେ । ବକ୍ସି ଜଗବନ୍ଧୁଙ୍କ ପାଇକ ସୈନ୍ୟମାନେ ଗଙ୍ଗପଡ଼ା ଓ ପୁରୀରେ ବ୍ରିଟିସ୍ ସିପାହିଙ୍କୁ ପରାସ୍ତ କରିଥିଲେ । ବିଦ୍ରୋହୀମାନେ ରାଜା ମୁକୁନ୍ଦଦେବଙ୍କୁ ପୁଣି ଥରେ ଖୋର୍ଦ୍ଧାର ରାଜଗାଦିରେ ବସାଇଥିଲେ । ତେବେ ଏପ୍ରିଲ ୨୦ ତାରିଖରେ ସଶସ୍ତ୍ର ବ୍ରିଟିସ୍ ସେନା ପ୍ରତିଆକ୍ରମଣ କରି ବିଦ୍ରୋହୀଙ୍କ ପାଖରୁ ପୁଣି ଥରେ ପୁରୀ ଓ ଖୋର୍ଦ୍ଧା ଛଡ଼ାଇ ନେଇଥିଲେ ।

bakshi
bakshi Photograph: (google)

କଥାରେ ଅଛି ପରାକ୍ରମୀ ଯୋଦ୍ଧା ପାଇକ ତେଣୁ ସହଜରେ ସେମାନେ ପରାଜୟ ବରଣ କରି ନଥିଲେ । ପ୍ରତିକୂଳ ପରିସ୍ଥିତିରେ ୧୦ ମାସ ଧରି ସେମାନେ ଏହି ବିଦ୍ରୋହକୁ ଉଜ୍ଜୀବିତ କରି ରଖିପାରିଥିଲେ । କିନ୍ତୁ ଶେଷରେ ପରାଜୟ ବରଣ କରିବାକୁ ପଡ଼ିଥିଲା । ଏହା ପରେ ବକ୍ସି ଜଗବନ୍ଧୁ ଅନେକ ବର୍ଷ ଧରି ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ତଥାପି ବକ୍ସିଙ୍କ ଆତଙ୍କ ଇଂରେଜଙ୍କ ମନରୁ ଲିଭି ନ ଥିଲା । ତାଙ୍କୁ ଧରାଇ ଦେବାକୁ ଇଂରେଜମାନେ ବହୁ ପୁରସ୍କାର ଘୋଷଣା କଲେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଗଲା କିନ୍ତୁ ଗୋରା ସରକାରଙ୍କୁ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା । ଏହିପରି ଭାବେ ୧୮୧୭ରୁ ୧୮୨୫ ଯାଏ ଦୀର୍ଘ ଆଠ ବର୍ଷ ଧରି ଆତ୍ମଗୋପନରେ ରହିବା ପରେ ନୟାଗଡ଼ ରାଜାଙ୍କ ପରାମର୍ଶକ୍ରମେ ସେ ଆତ୍ମସମର୍ପଣ କରିଥିଲେ । ଏହା ପରେ ତାଙ୍କୁ କଟକରେ ନଜରବନ୍ଦୀ ରଖାଯାଇଥିଲା । ସେ କଟକର ଯେଉଁ ସ୍ଥାନରେ ରହିଥିଲେ ତାହା ଏବେ ବକ୍ସିବଜାର ନାମରେ ଜଣାଶୁଣା । ୧୮୨୯ ଜାନୁଆରି ୨୪ ତାରିଖରେ ବନ୍ଦୀ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।