କନକ ବ୍ୟୁରୋ: ସ୍ୱାଧୀନତା ସଂଗ୍ରାମରେ ପାଇକମାନଙ୍କ ସଂଗ୍ରାମକୁ ଦେଶର ପ୍ରଥମ ଇଂରେଜ ବିରୋଧରେ ସଂଗ୍ରାମ କୁହାଯାଏ। ସଂଗ୍ରାମୀ ଓ ସଂଗ୍ରାମର ସ୍ମୃତି ଉଦେଶ୍ୟରେ ଖୋର୍ଦ୍ଧା ସଂସ୍କୃତି ଭବନ ପରିସରରେ ନିର୍ମିତ ହୋଇଛି ସହିଦ ସ୍ମୃତି ସ୍ତମ୍ଭ । ସଂଗ୍ରହାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ।


ସଂଗ୍ରାମ ଓ ସଂଗ୍ରାମୀର ମାଟି ଖୋର୍ଦ୍ଧା, ଅନେକ ବିର ପାଇକ ସ୍ୱାଧୀନତା ପାଇଁ ସଂଗ୍ରାମ କରି ଏଠାରେ ସହିଦ ହୋଇଥିଲେ । ଏଥିପାଇଁ ନିଜସ୍ୱ ଅସ୍ତ୍ରଶସ୍ତ୍ର ତିଆରି କରି ଯୁଦ୍ଧରେ ବିନିଯୋଗ କରୁଥିଲେ । ବୀର ମାଟିର ଏହି ସହିଦଙ୍କୁ ସମ୍ମାନ ଜଣାଇ ଖୋର୍ଦ୍ଧା ସଂସ୍କୃତି ଭବନ ପରିସରରେ ଏକ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରାଯାଇଛି । ଯାହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୧ ମସିହାରେ ଉଦଘାଟନ କରିଥିଲେ। ଯେଉଁଥିରେ ବୀର ସହିଦଙ୍କ ନାମ ଲିପିବଦ୍ଧ ହେବାର ଥିଲା। ସେଥିପାଇଁ ଏହି ସ୍ତମ୍ଭର ଚତୃପାର୍ଶ୍ୱରେ ସ୍ଥାନ ବି ରହିଥିଲା । ହେଲେ ବିଭାଗର ଅବହେଳାରୁ ସଂଗ୍ରାମୀଙ୍କୁ ଆଉ କେହିଁ ମନେ ପକାଇଲେ ନାହିଁ  କି ସ୍ମୃତି ସ୍ତମ୍ଭରେ ନାଁ ଲେଖିଲେ ନାହିଁ । 

ପାଇକଙ୍କ ସ୍ମୃତିକୁ ସ୍ମରଣ କରିବାକୁ ନିର୍ମିତ ସ୍ମୃତି ସ୍ତମ୍ଭ ଏବେ ସ୍ମୃତି ହେବାକୁ ବସିଛି । ସ୍ତମ୍ଭରେ କେଉଁଠି ଗଛଲତା ଉଠିଗଲାଣି ତ ପୁଣି କେଉଁଠି ଫାଟ ସୃଷ୍ଟି ହେଲାଣି। ସ୍ତମ୍ଭରେ ଲାଗିଥିବା ଅନେକ ଟାଇଲ ସବୁ ଖସିପଡ଼ିଲାଣି । ଯାହାର ସ୍ଥାୟିତ୍ୱକୁ ନେଇ ଏବେ ପ୍ରଶ୍ନ ଉଠିଛି । ପାଇକ ସଂଗ୍ରାମରେ ସଂଗ୍ରାମୀଙ୍କ ଅସ୍ତ୍ରଶସ୍ତ୍ର, ପିନ୍ଧୁଥିବା ବସ୍ତ୍ର, ବ୍ୟବହାର ସାମଗ୍ରୀକୁ ସାଇତି ରଖିବା ପାଇଁ ସ୍ତମ୍ଭ ନିକଟରେ ଲକ୍ଷାଧିକ ଟଙ୍କା ବିନିଯୋଗରେ ଏକ ସଂଗ୍ରହାଳୟ ନିର୍ମିତ ହୋଇଥିଲା । ଲକ୍ଷାଧିକ ଟଙ୍କା ବିନିଯୋଗରେ ଏହାକୁ ଆକର୍ଷଣୀୟ କରାଯାଇଥିଲା । ସଂସ୍କୃତି ଭବନ ପରିସରରେ ନିର୍ମିତ ହୋଇଥିବାରୁ ଏଠାକୁ ବହୁ ଲୋକମାନେ ଆସି ଅତୀତର ସ୍ମୃତି ଦେଖିବେ ବୋଲି ଆଶା କରାଯାଉଥିଲା । ହେଲେ ତାହା ସ୍ୱପ୍ନ ହୋଇରହିଯାଇଛି। 

ଚକା ଚକ କୋଠାରେ ଅନାବନା ଗଛ ଉଠିଗଲାଣି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ନିର୍ମାଣ ପରେ ବି ଉଦଘାଟନ ହୋଇପାରିନି । ଆଉ ଏଥିପାଇଁ ସଂଗ୍ରାମୀଙ୍କ ଦାୟାଦମାନେ କ୍ଷୋଭ ପ୍ରକାଶ କରିଛନ୍ତି ।