କନକ ବ୍ୟୁରୋ: ପାକିସ୍ତାନ ମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ଭାରତୀୟ ସେନା କେବେ ବି କରିପାରେ ହମଲା । ଜାମ୍ମୁକାଶ୍ମୀର ପହଲଗାମ୍ ଆକ୍ରମଣକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗୋଟିଏ ପଟେ ଭାରତ ସରକାର ପହଲଗାମ୍ ଆକ୍ରମଣକୁ ପ୍ରତିକ୍ରିୟାଶୀଳ ହେଇଥିବାବେଳେ, ଏବେ ଏହାର ଭୟ ପାକିସ୍ତାନର ମନ୍ତ୍ରୀଙ୍କ ପାଖରେ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍ ସୋମବାର କହିଛନ୍ତି ଯେ, ଭାରତୀୟ ସେନା କୌଣସି ବି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆମ ସେନାକୁ ମଜଭୁତ କରିଦେଇଛୁ । କାହିଁକି ନା ଏହାର ଆବଶ୍ୟକତା ଥିଲା । 

Advertisment

ସେପଟେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ କହିଛନ୍ତି, ଭାରତ ସହ ଲାଗନି ନଚେତ ପରିମାଣ ଭୟଙ୍କର ହେବ । ସାନ ଭାଇ ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଏହି ପରାମର୍ଶ ଦେଇଛନ୍ତି ନୱାଜ । ପହଲଗାମ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ଭିତରେ ବଡ ଧରଣର ବିବାଦ ଚାଲିଥିବାବେଳେ ନୱାଜ କହିଛନ୍ତି, ଭାରତ ସହ ଲଢ଼େଇ ନକରି କୂଟନୈତିକ ଆଲୋଚନା କରନ୍ତୁ । 

ଏପଟେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ କଡା ଆକ୍ସନ ନେବା ଆରମ୍ଭ କରିଛି । ପାକିସ୍ତାନର କିଛି ବଡ଼ ୟୁଟ୍ୟୁବ୍ ଚ୍ୟାନେଲ୍ ସମେତ ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମୋଦୀ ସରକାର । ଡନ୍ ନ୍ୟୁଜ, ସମା ଟିଭି, ଜିଓ ନ୍ୟୁଜର ୟୁଟ୍ୟୁବ୍ ପେଜ ସହ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତ, ଏହାର ସେନା ଓ ସୁରକ୍ଷା ଏଜେନ୍ସିଙ୍କ ବିରୋଧରେ ମିଛ, ଭ୍ରମାତ୍ମକ ଓ ଭୁଲ ସୂଚନା ପ୍ରସାରଣ କରୁଥିବାରୁ ପାକିସ୍ତାନ ଉପରେ ଏଭଳି ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ । ଗୃହ ମନ୍ତ୍ରାଳୟର ସୁପାରିଶ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏସବୁ ଚ୍ୟାନେଲରେ ପହଲଗାମ୍ ଉପରେ ମିଥ୍ୟା ଖବର ପରିବେଷଣ କରୁଥିବା ଅଭିଯୋଗ ଥିଲା । ସୋଏବ ଅଖତର, ଆରଜୁ କାଜମୀ ଭଳି ବ୍ୟକ୍ତିଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି ।