କନକ ବ୍ୟୁରୋ : ପହଲଗାମ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ବିରୋଧୀଙ୍କ ସମର୍ଥନ ସେହିଭଳି ମିଳିଛି ଯେଭଳି ୨୦୧୯ ପୁଲୱାମା ଆକ୍ରମଣ ପରେ ମିଳିଥିଲା । ହେଲେ ପହଲଗାମ ଆତଙ୍କୀ ଆକ୍ରମଣରେ ସୁରକ୍ଷାରେ ତ୍ରୁଟି ଥିବା ନେଇ ସର୍ବଦଳୀୟ ବୈଠକରେ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ସବୁଠାରୁ ବଡ଼ କଥା ହେଉଛି ବୈଠକରେ ସରକାର ତୁରନ୍ତ ଏହାକୁ ସ୍ୱୀକାର କରିଥିଲେ । ସରକାରଙ୍କ ସ୍ୱୀକାରୋକ୍ତି ପରେ ସୁରକ୍ଷାରେ ତ୍ରୁଟି ନେଇ ଯେଉଁମାନେ ଦୋଷୀ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ । ସୂଚନା ଥାଉ କି, ପୁଲୱାମା ଆକ୍ରମଣ ପରେ ସୁରକ୍ଷାରେ ତ୍ରୁଟିଥିବା ନେଇ ବିରୋଧୀ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ । 

Advertisment

ସର୍ବଦଳୀୟ ବୈଠକରେ ବିରୋଧୀ କହିଥିଲେ କି, ଏବେ ରାଜନୀତି କରିବାର ସମୟ ନୁହେଁ । ହେଲେ ଆରଜେଡି ନେତା ତେଜସ୍ୱୀ ଯାଦବ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିହାର ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ କି, ଆତଙ୍କୀ ଆକ୍ରମଣ ପରେ ଯଦି ପ୍ରଧାନମନ୍ତ୍ରୀ କାନପୁର ଗସ୍ତ ରଦ୍ଦ କରିପାରିଲେ ତେବେ ବିହାର ଗସ୍ତ କାହିଁକି ରଦ୍ଦ ହେଲା ନାହିଁ । 

ସେପଟେ ଚିରାଚରିତ ଢଙ୍ଗରେ ସବୁ କଥାରେ ବିରୋଧୀ ଯେଭଳି ସରକାରଙ୍କୁ ଘେରିଥାନ୍ତି କିନ୍ତୁ ଏହି ପ୍ରସଙ୍ଗରେ ସରକାରଙ୍କ ସମସ୍ତ ପ୍ରସ୍ତାବକୁ ବିରୋଧୀ ସମର୍ଥନ କରିଛନ୍ତି । ଦେଶର ଶତ୍ରୁଙ୍କ ବିରୋଧରେ ଶାସକ-ବିରୋଧୀ ଏକାସାଙ୍ଗରେ ସ୍ୱର ଉଠାଇଛନ୍ତି । 

ସର୍ବଦଳୀୟ ବୈଠକ ପରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି କି, ସମସ୍ତେ ପହଲଗାମ ଆକ୍ରମଣକୁ ନିନ୍ଦା କରିଛନ୍ତି । ସରକାର ଯାହା କାର୍ଯ୍ୟାନୁଷ୍ଠାନ ନେବେ ତାହାକୁ ବିରୋଧୀ ପୂର୍ଣ୍ଣ ସମର୍ଥନ କରିବେ । ଏସବୁ ଭିତରେ ଆଜି ରାହୁଲ ଗାନ୍ଧୀ ଶ୍ରୀନଗର ପହଂଚିଛନ୍ତି, ସେଠାରୁ ସେ ଅନନ୍ତନାଗ ଯିବାର କାର୍ଯ୍ୟକ୍ରମ ରହିଛି । 

କେବଳ ରାହୁଲ ଗାନ୍ଧୀ ନୁହଁନ୍ତି କେନ୍ଦ୍ରମନ୍ତ୍ରୀ କିରନ୍ ରିଜିଜୁ ମଧ୍ୟ ବିରୋଧୀ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିଥିବା କଥା କହିଛନ୍ତି । ସେପଟେ ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ୱବେସୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସମର୍ଥନ କରିଥିଲେ କି ସିନ୍ଧୁ ଜଳ ରୋକିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ପାଣି ରୋକିବା ପରେ ସେହି ପାଣିକୁ ଭାରତ ରଖିବ କେଉଁଠି ।