କନକ ବ୍ୟୁରୋ: କେମିତି ସୀମା ପାର୍ କରି ଭାରତରେ ପଶିଲେ ଆତଙ୍କବାଦୀ? କେମିତି ୨୬ ଜଣ ନିରୀହ ଲୋକଙ୍କ ଜୀବନ ନେଇଗଲେ? ଆତଙ୍କବାଦୀ ଆକ୍ରମଣ ଭାରତର ଗୁଇନ୍ଦା ବିଫଳତା ନୁହେଁ କି? ଏତେ ବଡ଼ ଅଘଟଣ ପାଇଁ କିଏ ଦାୟୀ? ସରକାର କାହିଁକି ଏହାର ଜବାବ ରଖୁନି?

Advertisment

କିଛି ଏଭଳି ପ୍ରଶ୍ନ କରିବା ସହିତ କେନ୍ଦ୍ର ସରକାରକୁ ସିଧା ସିଧା ଟାର୍ଗେଟ୍  କରିଛନ୍ତି ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ରାଷ୍ଟ୍ରୀୟ ମହାସଚିବ  ଅଭିଷେକ ବାନାର୍ଜୀ । ଟିଏମସି ନେତା ଅଭିଷେକ ବାନାର୍ଜୀ ପହଲଗାମ ଆଟାକର ୫୫ ଦିନ ପରେ ଏକ୍ସରେ ପୋଷ୍ଟ ଲେଖି ପ୍ରଶ୍ନ ପଚାରିଛନ୍ତି । ପହଲଗାମ ଆକ୍ରମଣ ନେଇ ସରକାର କାହିଁକି ଚୁପ୍ ଅଛନ୍ତି ବୋଲି କହିବା ସହିତ, କେମିତି ଏତେ ବଡ଼ ଆଟାକ୍ ହୋଇଗଲା ସେ ନେଇ ପ୍ରଶ୍ନ କରିଛନ୍ତି ।

ଅଭିଷେକ ବାନାର୍ଜୀଙ୍କ କହିବା କଥା, କେମିତି ସୀମା ପାର୍ କରି ଆତଙ୍କବାଦୀମାନେ ଭାରତରେ ପଶିବା ସହିତ ୨୬ ଜଣ ଲୋକଙ୍କ ଜୀବନ ନେଇଗଲେ? ଏହା ଆମର ଗୁଇନ୍ଦା ବିଫଳତା ନୁହେଁ କି? ଏହାପରେ ବି ଆଇବି ମୁଖ୍ୟଙ୍କ କାର୍ଯ୍ୟକାଳକୁ ଆହୁରି ଗୋଟିଏ ବର୍ଷ ବଢ଼ାଇବାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ସେ ଉତ୍ତରଦାୟୀ ହେବା ବଦଳରେ, ତାଙ୍କୁ ପୁରସ୍କାର ଦିଆଯାଉଛି ବୋଲି କହିଛନ୍ତି ଅଭିଷେକ ବାନାର୍ଜୀ । ତା ସହିତ ସରକାର ପେଗାସସ୍  ବ୍ୟବହାର କରି ଆତଙ୍କବାଦୀଙ୍କୁ କାହିଁକି ଟ୍ରାକ୍ କରୁନି ବୋଲି କହିଛନ୍ତି ଅଭିଷେକ ବାନାର୍ଜୀ ।

ଏହାସହ ଅଭିଷେକ ବାନାର୍ଜୀ ପହଲଗାମ ଆକ୍ରମଣକାରୀଙ୍କୁ ନେଇ ମଧ୍ୟ ପ୍ରଶ୍ନ ପଚାରିଛନ୍ତି । ନରସଂହାର କରିଥିବା ଏହି ଆତଙ୍କୀମାନେ ଏବେ ବଞ୍ଚିଛନ୍ତି ନା ମରିଛନ୍ତି, ସରକାର ଏନେଇ ସଫା ସଫା ଉତ୍ତର ରଖନ୍ତୁ । ଆଉ ଯଦି ଏହି ଆତଙ୍କବାଦୀମାନେ ଏବେ ବି ଜୀବିତ ଅଛନ୍ତି, ତେବେ ସରକାର ଏନେଇ ଚୁପ୍ କାହିଁକି ଅଛନ୍ତି ବୋଲି ସେ କହିଛନ୍ତି ।

ପହଲଗାମ୍ ଆକ୍ରମଣ ନେଇ ପ୍ରଶ୍ନ ପଚାରିବା ସହିତ ପିଓକେ କେବେ ଭାରତରେ ମିଶିବ ବୋଲି ପଚାରିଛନ୍ତି ଅଭିଷେକ । ଏହାସହ ଆମେରିକା ରାଷ୍ଟ୍ରପତିଙ୍କ ଚାପରେ ଭାରତ ଯୁଦ୍ଧ ବିରାମ କରିଛି କି ବୋଲି ମଧ୍ୟ ସେ ପଚାରିଛନ୍ତି ।  ୧୪୦ କୋଟି ଭାରତୀୟଙ୍କ ଭାବନାକୁ କାହିଁକି ମୋଦୀ ସରକାର ଅଣଦେଖା କଲେ? ଏହା ପଛର କାରଣ କଣ ବୋଲି ମୋଦୀ ସରକାରକୁ ପ୍ରଶ୍ନ କରିଛନ୍ତି ଅଭିଷେକ ବାନାର୍ଜୀ ।

ତେବେ ଅଭିଷେକ ବାନାର୍ଜୀ ମୋଦୀ ସରକାରକୁ ଏମିତି ଟାର୍ଗେଟ୍ କରିବା ପରେ ଏହାକୁ ସମର୍ଥନ କରିଛନ୍ତି ତାଙ୍କରି ଦଳର ବରିଷ୍ଠ ନେତା ଡେରେକ ଓ ବ୍ରାୟନ । ଏ ସରକାର ଏନେଇ ଜବାବ ରଖିବା ଦରକାର ବୋଲି କହିବା ସହିତ ଅଭିଷେକ ବାନାର୍ଜୀ ଜଣେ ସଚେତନ ନାଗରିକ ଭାବେ ଏହି ପ୍ରଶ୍ନ ଉଠାଇଛନ୍ତି ବୋଲି କହିଛନ୍ତି ଟିଏମସି ନେତା ଡେରେକ ଓ ବ୍ରାୟନ ।