କନକ ବ୍ୟୁରୋ: ଜମ୍ମୁକଶ୍ମୀରକୁ ଭାରି ପଡ଼ିପାରେ ପହଲଗାମ୍ ଆତଙ୍କୀ ଆକ୍ରମଣ । ଗତକାଲିର ଏ ଘଟଣା, ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଯେଉଁଥିରେ ଆତଙ୍କୀ ଆକ୍ରମଣରେ ଆଖି ବୁଜିଛନ୍ତି ୨୮ ଜଣ ଲୋକ । ଆତଙ୍କବାଦୀମାନେ ତାଙ୍କୁ ଜାତି ଏବଂ ଧର୍ମ ପଚାରି ଗୁଳି ମାରିଛନ୍ତି, ଯେଉଁମାନେ କି କଶ୍ମୀରକୁ ବୁଲିବାକୁ ଯାଇଥିଲେ । ତେବେ ଏହି ଘଟଣା ଜମ୍ମୁକଶ୍ମୀର ଉପରେ ବଡ଼ ପ୍ରଭାବ ପକାଇପାରେ ।

Advertisment

ଜମ୍ମୁକଶ୍ମୀରରେ ଏଭଳି ସମୟରେ ଏହି ଘଟଣା ଘଟିଛି, ଯେତେବେଳେ କି ଜମ୍ମକଶ୍ମୀରର ପର୍ଯ୍ୟଟନ ପୁଣିଥରେ ଆଗକୁ ବଢୁଥିଲା । ଧାରା ୩୭୦ର ଉଚ୍ଛେଦ ପରେ ଧୀରେ ଧୀରେ ଏଠାରେ ହୋଟେଲ ଖୋଲିବା ସହିତ ଲୋକମାନେ ବୁଲିବାକୁ ଆସିବା ଆରମ୍ଭ କରିଥିଲେ । ହେଲେ ଏଭଳି ସମୟରେ ପର୍ୟ୍ୟଟକଙ୍କ ଉପରେ ଏ ଆକ୍ରମଣ ଜମ୍ମକଶ୍ମୀରର ପର୍ଯ୍ୟଟନ ଉପରେ ପ୍ରଭାବ ପକାଇବ ।

୨୦୧୯ ମସିହାରେ ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ଏହାପରେ କରୋନା ଯୋଗୁଁ ମଧ୍ୟ କିଛି ସମୟ ପାଇଁ ପର୍ଯ୍ୟଟନରେ ବାଧା ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ସମୟ ଗଡ଼ିବା ସହିତ ଜମ୍ମୁକଶ୍ମୀରର ପର୍ଯ୍ୟଟନ ଶିଳ୍ପ ମଧ୍ୟ କ୍ଷତିରେ ଚାଲୁଥିଲା, ହେଲେ ଯେତେବେଳେ ଏହା ପୁଣିଥରେ ଉଠିବା ଆରମ୍ଭ କରିଥିଲା, ସେହି ସମୟରେ ହିଁ ଆତଙ୍କୀଙ୍କ ଏ ଆକ୍ରମଣ ଏହାକୁ ପୁଣିଥରେ ପଛକୁ ଠେଲିଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଜମ୍ମକଶ୍ମୀର ପର୍ଯ୍ୟଟନ ବିଭାଗର ସୂଚନା ମୁତାବକ, ୨୦୨୧ରେ ଏଠାକୁ ମୋଟ ୧.୧୩ କୋଟି ପର୍ଯ୍ୟଟନ ବୁଲିବାକୁ ଆସିଥିଲେ । ଯାହାକି ୨୦୨୨ରେ ବୃଦ୍ଧି ପାଇ ୧.୮୮ କୋଟିରେ ପହଞ୍ଚିଥିଲା । ସେହିପରି ୨୦୨୩ରେ ଏହି ସଂଖ୍ୟା ୨.୧୧ କୋଟି ଏବଂ ୨୦୨୪ରେ ୨.୩୬ କୋଟିରେ ପହଞ୍ଚିଥିଲା । ହେଲେ ଏବେ ଏହି ସଂଖ୍ୟା ପୁଣିଥରେ କମିଯିବା ନେଇ ବିଶେଷଜ୍ଞମାନେ ମତ ରଖୁଛନ୍ତି । ଜମ୍ମୁକଶ୍ମୀରର ପର୍ଯ୍ୟଟନ ଏହାର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହାସହିତ ଏହା ଜମ୍ମୁକଶ୍ମୀରରେ ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟି କରିଥାଏ । ଯାହାର ପ୍ରଭାବ ଏବେ ଜମ୍ମୁକଶ୍ମୀର ଉପରେ ପଡ଼ିପାରେ ।