କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିହାରର ମଧୁବନୀରୁ ଆତଙ୍କୀଙ୍କୁ କଡା ଚେତାବନୀ ଦେଇଛନ୍ତି । ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୋଦୀ କହିଛନ୍ତି ଯେ, ଏହା କେବଳ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ନୁହେଁ, ବରଂ ଭାରତର ଆତ୍ମା ଉପରେ ଆଘାତ। ପ୍ରଧାନମନ୍ତ୍ରୀ ଦୃଢୋକ୍ତିରେ କହିଛନ୍ତି, ଆମେ ପ୍ରତ୍ୟେକ ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ ଖୋଜି ବାହାର କରି କଠୋର ଶାସ୍ତି ଦେବୁ ।

Advertisment

ଭାରତର ଇଚ୍ଛାଶକ୍ତି, ଆତଙ୍କବାଦ ସାମ୍ନାରେ କେବେ ନଇଁବ ନାହିଁ । ଖାଲି ଏତିକି ନୁହେଁ ବିଶ୍ୱ ସମୁଦାୟକୁ ଇଂରାଜୀରେ ଭାଷଣ ଦେଇ ମୋଦୀ କହିଛନ୍ତି, ବିହାର ମାଟିରୁ ମୁଁ ବିଶ୍ୱକୁ କହୁଛି, ଭାରତ ପ୍ରତ୍ୟେକ ଆତଙ୍କବାଦୀଙ୍କୁ ଶାସ୍ତି ଦେବ । ମୋଦୀ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ ଦେଶବାସୀଙ୍କୁ ଏକତାର ଆହ୍ୱାନ ଦେଇଛନ୍ତି। ମାନବତାରେ ବିଶ୍ୱାସ ରଖୁଥିବା ସମସ୍ତେ ଆମ ସହିତ ଅଛନ୍ତି । ପାକିସ୍ତାନର ନାଁ ନେଇନଥିଲେ ମୋଦୀ ହେଲେ କହିଥିଲେ ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ତାକୁ ଧ୍ବଂସ କରାଯିବା ନେଇ ଚେତାବନୀ ଦେଇଛନ୍ତି ।

ଆତଙ୍କବାଦର ଗଡ ପାକିସ୍ତାନ ଏହା କାହାକୁ ଅଛପା ନାହିଁ  ସୈଫିଉଲ୍ଲାହ ଓ ହାଫିଜ ସାୟେଦଙ୍କ ପରି ଆତଙ୍କବାଦୀ ଏବେବି ପାକିସ୍ତାନରୁ ଭାରତ ବିରୋଧରେ ପ୍ରତିକ୍ରିୟା ଦିଅନ୍ତି । ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ପାଇଁ ବଡ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଉ ମୋଦୀଙ୍କ ମନ୍ତବ୍ୟ ନିହାତି ପାକିସ୍ତାନରେ ହଇଚଇ ସୃଷ୍ଟି କରିବ । ଭାରତ ଆଗକୁ ପୂର୍ବ ଥର ଭଳି ଏୟାର ଷ୍ଟ୍ରାଇକ କରୁଛି ନା ସ୍ଥଳସେନା ଅପରେସନ ଜୋରଦାର କରୁଛି ଦେଖିବାକୁ ବାକି ରହିଲା ।