କନକ ବ୍ୟୁରୋ : ପହଲଗାମ୍‌ ଆକ୍ରମଣରେ କର୍ଣ୍ଣାଟକର ଜଣେ ସପ୍ଟୱେୟାର ଇଞ୍ଜିନିୟର ପ୍ରସନ୍ନ କୁମାର ଭଟ୍ଟ ଏବଂ ତାଙ୍କ ପରିବାର ଆତଙ୍କବାଦୀଙ୍କ ହାତରେ ମରୁ ମରୁ ବଞ୍ଚିଛନ୍ତି । ପ୍ରସନ୍ନ ନିଜର ଏକ୍ସ ଆକାଉଣ୍ଟରେ ନିଜ ଉପରେ ବିତିଥିବା ସେହି ଛାତିଥରା ଦୃଶ୍ୟକୁ ଲେଖି ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି,ତାଙ୍କ ପରିବାର ଏବଂ ଆଉ ୩୦-୪୦ ଜଣ ପର୍ଯ୍ୟଟକ ସେହି ନରପିଶାଚମାନଙ୍କ କବଳରୁ ବଞ୍ଚିଯାଇଛନ୍ତି । ପ୍ରସନ୍ନଙ୍କ କହିବା ଅନୁସାରେ,ତାଙ୍କ ବଡ଼ ଭାଇ ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ । ସେ ପାଖାପାଖି ୪୦ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି । ସେ ଲେଖିଛନ୍ତି, ଭଗବାନଙ୍କ କୃପା, ଭାଗ୍ୟ ଏବଂ ଜଣେ ସେନା ଅଧିକାରୀଙ୍କ ବୁଦ୍ଧି ବିଚାର  ଯୋଗୁଁ, ସେଦିନ କେବଳ ଆମର ଜୀବନ ନୁହେଁ ବରଂ ୩୫-୪୦ ଜଣ ଲୋକଙ୍କ ଜୀବନ ରକ୍ଷା ପାଇଥିଲା ।

Advertisment

ଭଟ୍ଟ କହିଛନ୍ତି ଯେ ଖରାପ ପାଗ ଯୋଗୁଁ ଦୁଇ ଦିନ ପାଇଁ ତାଙ୍କ ଯାତ୍ରା ସ୍ଥଗିତ ରଖିବା ପରେ ସେ ଏପ୍ରିଲ ୨୨ ତାରିଖ ଅପରାହ୍ନରେ ତାଙ୍କ ସ୍ତ୍ରୀ, ଭାଇ ଏବଂ ଭଉଣୀଙ୍କ ସହିତ  ବୈସରଣ ଉପତ୍ୟକାରେ ପହଞ୍ଚିଥିଲେ । ସେମାନେ ବୁଲାବୁଲି କରୁଥିବାବେଳେ ଅପରାହ୍ନ ପ୍ରାୟ ୨:୨୫ରେ ହଠାତ୍‌ ପ୍ରଥମ ଦୁଇଟି ଗୁଳିର ଶବ୍ଦ ଶୁଣିଲେ । ଏହା ପରେ ଗୋଟିଏ ମିନିଟ୍ ପାଇଁ ଚାରିଆଡ଼େ ନିସ୍ତବ୍ଧ ହୋଇଗଲା  । ଏପରି କଣ ହେଲା ସମସ୍ତେ ବୁଝିବାକୁ ଚେଷ୍ଟା କରୁଥିଲେ । କିଛି କ୍ଷଣ ମଧ୍ୟରେ ସେ ଏବଂ ତାଙ୍କ ପରିବାର ସେଠାରେ ଦୁଇଟି ମୃତଦେହ ପଡ଼ିଥିବା ଦେଖିଲେ ଏବଂ ତାଙ୍କ ଭାଇ ତୁରନ୍ତ ଜାଣିପାରିଲେ ଯେ ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିଲା । ତା’ପରେ ଗୁଳି ଫୁଟିବାର ଶବ୍ଦ ପୁଣି ଆରମ୍ଭ ହୋଇଗଲା ଏବଂ ଚାରିଆଡ଼େ ଚିତ୍କାର ଶୁଣାଗଲା । ଭିଡ଼ ଭିତରେ ସମସ୍ତେ ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବାକୁ ଲାଗିଲେ । ପ୍ରସନ୍ନ ଏବଂ ତାଙ୍କ ସହ ଅନ୍ୟ ଲୋକମାନେ ଫାଟକ ଆଡ଼କୁ ଦୌଡ଼ିବାକୁ ଲାଗିଲେ କିନ୍ତୁ ସେଠାରେ ମଧ୍ୟ ଆତଙ୍କବାଦୀମାନେ ପୂର୍ବରୁ ଅପେକ୍ଷା କରିଥିଲେ ।

ଭଟ୍ଟ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଜଣେ ଆତଙ୍କବାଦୀଙ୍କୁ ଆମ ଆଡକୁ ଆସୁଥିବାର ଦେଖିଲୁ, ତେଣୁ ଆମେ ଦୌଡ଼ିବାକୁ ନିଷ୍ପତ୍ତି ନେଲୁ ଏବଂ ସୌଭାଗ୍ୟବଶତଃ ଆମେ ସେଠାରେ ଥିବା ଏକ ବାଡ଼ ତଳେ ଛୋଟ ରାସ୍ତା ପାଇଲୁ ଏବଂ ଲୁଚି ରହିଥିବା ଅଧିକାଂଶ ଲୋକ ବାଡ଼ ପାର ହୋଇ ଅନ୍ୟ ପାର୍ଶ୍ୱକୁ ଦୌଡ଼ିବାକୁ ଲାଗିଲେ । ସେହି ସମୟରେ ତାଙ୍କ ଭାଇ ପରିସ୍ଥିତି ଅନୁସାରେ ତାଙ୍କ ପରିବାର ସହ ସେଠାରେ ଲୁଚିଥିବା ୩୫-୪୦ ପର୍ଯ୍ୟଟକଙ୍କୁ ବିପରୀତ ଦିଗକୁ ପଠାଇଦେଲେ ଏବଂ ତୁରନ୍ତ ସେଠାରୁ ଦୌଡ଼ିବାକୁ କହିଲେ । ସେହି ଦିଗରେ ଏକ ଗଡ଼ାଣିଆ ରାସ୍ତା ଥିଲା ଯେଉଁଥିରେ କି ପାଣିର ଧାର ବହୁଥିଲା । ସେଥିପାଇଁ ସେ ସ୍ଥାନ ସୁରକ୍ଷିତ ଥିଲା । କାଦୁଅ ପାଣିରେ ଦୌଡ଼ିବା ସମୟରେ ଅନେକ ଲୋକମାନଙ୍କର ଗୋଡ଼ ଖସି ଯାଉଥିଲା ତାଥାପି ସେମାନେ ସେଠାରୁ ବାହାରିବାରେ ସଫଳ ହେଲେ । 

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ କନ୍ଦି ସ୍ଥାନରେ ରହିଲୁ ଏବଂ ସୁରକ୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କଲୁ । ଆମେ ବୁଝିପାରୁ ନଥିଲୁ ଯେ ନିଜକୁ ବଞ୍ଚାଇବା ପାଇଁ ସେହି ସ୍ଥାନରେ ରହିବା ଉଚିତ୍‌ ନା କୌଣସି ଦିଗରେ ଦୌଡ଼ିବା ଉଚିତ୍‌ । ଅପରାହ୍ନ ୩:୪୦ ରେ ହେଲିକପ୍ଟରର ଶବ୍ଦ ଶୁଣାଗଲା । ଅପରାହ୍ନ ୪ଟା ସୁଦ୍ଧା ସେନାର ସ୍ୱତନ୍ତ୍ର ବାହିନୀ ସେହି ଅଞ୍ଚଳକୁ ଘେରି ସୁରକ୍ଷିତ କରିନେଇଥିଲେ ଏବଂ ବଞ୍ଚିଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଗୁଳି ଫୁଟିବାର ଶବ୍ଦ ଏବେ ବି ଆମ କାନରେ ଶୁଭୁଛି  ଏବଂ ଏହି ଆକ୍ରମଣ ମୋତେ ହୃଦୟରୁ ଥରାଇ ଦେଇଛି ।