କନକ ବ୍ୟୁରୋ : “ମୋ ଭାଇ ଗୁଳି ଖାଇଛି, ମୋତେ ମୋ ଭାଇକୁ ଫେରେଇଦିଅ, ତା'ପରେ ପାକିସ୍ତାନ ସହିତ ମ୍ୟାଚ୍ ଖେଳ...',ଆଜି ଭାରତ-ପାକିସ୍ତାନ ମ୍ୟାଚ୍ ନେଇ କିଛି ଏମିତି କଥା କହିଛନ୍ତି  ସାବନ ପରମାର । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସେ ତାଙ୍କ ବାପା ଏବଂ ଭାଇଙ୍କୁ ହରାଇଛନ୍ତି । ଆଉ ଏବେ ଭାରତ ପାକିସ୍ତାନ ମ୍ୟାଚ୍ ଆୟୋଜନ ହେଉଥିବା ଖବର ପାଇ ଦୁଃଖିତ ଥିବା କହିଛନ୍ତି ଗୁଜରାଟର ଭାବନଗରରେ ରହୁଥିବା ସାବନ ପରମାର ।

Advertisment

ଆପଣ ଭଲ ଭାବେ ଜାଣିଥିବେ, ଗତ ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କୀ ଆକ୍ରମଣ ହୋଇଥିଲା । ପାକିସ୍ତାନ ସମର୍ଥିତ ଆକ୍ରମଣକାରୀମାନେ ପହଲଗାମରେ ପ୍ରବେଶ କରି ଲୋକମାନଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରି ହତ୍ୟା କରିଥିଲେ। ଏହାପରେ ଭାରତ ସରକାର ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲେ । ହେଲେ ଏବେ କିନ୍ତୁ ଭାରତ ଏବଂ ପାକିସ୍ତାନ ଏସିଆ କପରେ ମୁହାଁମୁହିଁ ହେଉଥିବାରୁ, ପହଲଗାମ ଆକ୍ରମଣର ପୀଡିତଙ୍କ ପରିବାର ଖୁସି ନାହାଁନ୍ତି ।

ପହଲଗାମ ଆକ୍ରମଣରେ ନିଜ ବାପା ଏବଂ ଭାଇଙ୍କୁ ହରାଇଥିବା ଗୁଜରାଟର ସାବନ ପରମାର କହିଛନ୍ତି, ପାକିସ୍ତାନ ସହିତ କୌଣସି ପ୍ରକାରର କାରବାର ହେବା ଉଚିତ୍ ନୁହେଁ କାରଣ ଏହା ଏକ ଆତଙ୍କବାଦୀ ଦେଶ । ଯଦି ତୁମେ ପାକିସ୍ତାନ ସହିତ ଏକ ମ୍ୟାଚ୍ ଖେଳିବାକୁ ଚାହୁଁଛ, ତେବେ ତାହା ମୋର ୧୬ ବର୍ଷୀୟ ଭାଇକୁ ଦିଅ, ଯାହାକୁ ପହଲଗାମରେ ହତ୍ୟା କରାଯାଇଥିଲା ।  

ଅନ୍ୟପଟେ ଏହି ଆକ୍ରମଣରେ ନିଜ ସ୍ୱାମୀ ଏବଂ ପୁଅକୁ ହରାଇଥିବା ଯତୀଶ ପରମାର କହିଛନ୍ତି,  ଏହି ମ୍ୟାଚ୍ ହେବା ଉଚିତ୍ ନୁହେଁ। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିବାକୁ ଚାହୁଁଛି, ଯଦି ଅପରେସନ୍ ସିନ୍ଦୁର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ତେବେ ଏହି ଭାରତ-ପାକିସ୍ତାନ ମ୍ୟାଚ୍ କାହିଁକି ହେଉଛି? ଜାଣିରଖିବା ଉଚିତ୍ ଯେ, ପ୍ରବଳ ବିରୋଧ ସତ୍ତ୍ୱେ ଏଥର ଏସିଆ କପରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ । ଏହାପୂର୍ବରୁ ଭାରତୀୟ ଟିମର କିଛି ପୂର୍ବତନ କ୍ରିକେଟର ମଧ୍ୟ ଏହି ମ୍ୟାଚ୍ ବିରୋଧରେ ମତ ଦେଇଥିଲେ । ଭାରତ-ପାକିସ୍ତାନ ଭିତରେ ଯେତେବେଳ ପର୍ଯ୍ୟନ୍ତ ସମ୍ପର୍କ ଭଲ ହୋଇନି, ସେପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାକିସ୍ତାନ ସହ ମ୍ୟାଚ୍ ନଖେଳୁ ବୋଲି ସେମାନେ କହିଥିଲେ ।