କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ବାରମ୍ବାର ନିର୍ଦ୍ଦେଶ ପରେ ବି ଶୁଣୁନାହାଁନ୍ତି ଏୟାର ଲାଇନ୍ସ କମ୍ପାନିମାନେ । କାଶ୍ମୀରରେ ଫସିଥିବା ପର୍ଯ୍ୟଟକମାନଙ୍କୁ ଫେରାଇ ଆଣିବାକୁ ୨ରୁ ୪ ଗୁଣା ବୃଦ୍ଧି କରିଛନ୍ତି ବିମାନ ଭଡା । ଆତଙ୍କବାଦୀ ଆକ୍ରମଣ ପରେ ଏୟାରଲାଇନ୍ସ ଗୁଡିକ ଶ୍ରୀନଗରରୁ ଦେଶର ପ୍ରମୁଖ ସହରକୁ ଥିବା ବିମାନ ଭଡାରେ ୨ ରୁ ୪ ଗୁଣା ବୃଦ୍ଧି କରିଛନ୍ତି । ଏନେଇ ଅନେକ ଯାତ୍ରୀ ସୋସିଆଲ ମିଡିଆରେ ବିମାନ ଟିକେଟର ସ୍କ୍ରିନ୍ ସର୍ଟ ମାରି ପୋଷ୍ଟ କରୁଛନ୍ତି । ସେଥିରେ ସେମାନେ ଲେଖିଛନ୍ତି କି, ବିପର୍ଯ୍ୟୟ ବେଳେ ବି ଏୟାରଲାଇନ୍ସଗୁଡିକ ଲୁଟିବାର କୌଣସି ସୁଯୋଗ ଛାଡୁନାହାନ୍ତି ।
ଲୋକଙ୍କ ଅଭିଯୋଗ ପରେ କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସମସ୍ତ ଏୟାରଲାଇନ୍ସ ଅପରେଟରଙ୍କ ସହ ବୈଠକ କରି ଭଡା ନବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଯାହା ଭଡା ଥିଲା ତାହା ଚାଲୁ ରଖିବାକୁ କହିଛନ୍ତି ମନ୍ତ୍ରୀ । ଏହାସହ ଆକ୍ରମଣରେ ନିହତ ହୋଇଥିବା ଲୋକଙ୍କୁ କିଭଳି ସେମାନଙ୍କ ରାଜ୍ୟରେ ପହଂଚାଯାଇପାରିବ ସେନେଇ ଏୟାରଲାଇନ୍ସଗୁଡିକୁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ପର୍ଯ୍ୟଟକଙ୍କୁ ଫେରାଇ ଆଣିବାକୁ ବିମାନ ସଂଖ୍ୟା ବୃଦ୍ଧି କରିବା ନେଇ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।