କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ମଣିଶଂକର ଆୟର ପହଲଗାମ ଆକ୍ରମଣକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଭାରତ ସରକାର କହୁଛନ୍ତି, ଦେଶର ସମସ୍ତ ବିରୋଧୀଦଳ ଏହାକୁ ଛାତିପିଟି ବିଶ୍ୱାସ କରୁଛି । ମାତ୍ର ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର କୌଣସି ବି ଦେଶ ଭାରତର ଏହି ଦାବିକୁ ଭରସା କରୁନାହିଁ । 

Advertisment

ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପାକିସ୍ତାନର ହାତ ଥିବା ଜାଣିବା ପରେ ଭାରତ ସରକାରଙ୍କ ତରଫରୁ ସର୍ବଦଳୀୟ ସମିତି ଗଠନ କରାଯାଇଥିଲା । ଏହି କମିଟିକୁ ୭ ଭାଗରେ ବିଭକ୍ତ କରାଯାଇ ୩୩ ଟି ଦେଶକୁ ପ୍ରତିନିଧୀମଣ୍ଡଳ ପଠାଯାଇଥିଲା । ପାକିସ୍ତାନର ମୁଖା ଖୋଲିବା ଓ ପଡୋଶୀ ଦେଶମାନଙ୍କରେ ପାକିସ୍ତାନର ଅସଲି ଚରିତ୍ର ଉପରୁ ପରଦା ହଟାଇବାର ଏହାର ମୁଖ୍ୟ ଉର୍ଦ୍ଦେଶ୍ୟ ଥିଲା । ଏଥିରେ କଂଗ୍ରେସ ସାଂସଦ ଶଶି ଥରୁର, ମନୀଷ ତିୱାରୀ, ଓ ଆନନ୍ଦ ଶର୍ମା ସାମିଲ ଥିଲେ । 

ଏହାକୁ ନେଇ ମଣିଶଂକର ଆୟର କହିଛନ୍ତି କି, ଏହି ପ୍ରତିନିଧୀମଣ୍ଡଳ ୩୩ ଟି ଦେଶ ଗସ୍ତକଲେ । ହେଲେ କୌଣସି ଦେଶ ବିଶ୍ୱାସକୁ ନେଲାନାହିଁ କି ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି । ଏହାସହ କୌଣସି ଦେଶ ଏହି ପ୍ରତିନିଧୀମଣ୍ଡଳକୁ ଗମ୍ଭୀରତାର ସହ ନନେଇଥିବା ମଣିଶଂକର ଅଭିଯୋଗ କରିଛନ୍ତି । ୩୩ ଦେଶ ମଧ୍ୟରୁ କେହି ବି କହିଲେ ନାହିଁ ଏହି ଆକ୍ରମଣ ପଛରେ ପାକିସ୍ତାନ । ଏହାର ପ୍ରମୁଖ କାରଣ ହେଉଛି ଆକ୍ରମଣ ପଛରେ ପାକିସ୍ତାନର ହାତଥିବା ନେଇ ଆମ ପାଖରେ ବହୁତ କିଛି ପ୍ରମାଣ ନଥିଲା । ଆମ ସରକାର କେବଳ ଅନ୍ଧାରରେ ବାଡ଼ି ବୁଲାଇ ପାକିସ୍ତାନର ହାତ ଥିବା କଥା ଛାତିପିଟି ଭାରତରେ ପ୍ରଚାର କରୁଛନ୍ତି ।