କନକ ବ୍ୟୁରୋ: ପହଲଗାମ୍‌ରେ ଆତଙ୍କବାଦୀଙ୍କୁ ଆକ୍ରମଣ କରିବାରେ ସାହାଯ୍ୟ କରିଥିଲା ଆଦିଲ ହୁସେନ । ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ଆଦିଲ ହିଁ ଆତଙ୍କୀମାନଙ୍କୁ ଭାରତରେ ଗୁପ୍ତ ପ୍ରବେଶର ତଥ୍ୟ ଦେଇଥିଲା । ଯାହାପରେ ଯୋଜନାକୁ ଆକ୍ରମଣର ରୂପ ଦିଆଯାଇଥିଲା । ଜମ୍ମୁ-କାଶ୍ମୀର ବିଜବେହାରର ଏକ ଛୋଟ ଗାଁରେ ରହୁଥିବା ଆଦିଲ ଏହି ଷଡ଼ଯନ୍ତ୍ରର ମୁଖ୍ୟ ସହଯୋଗୀ । 

Advertisment

ଆଦିଲ ପୂର୍ବରୁ ଆତଙ୍କବାଦୀ ସଂଗଠନର ସହ ସମ୍ପର୍କରେ ଥିଲା

ଆଦିଲ ୨୦୧୮ରେ ଏକ ବୈଧ ଭିସାରେ ପାକିସ୍ତାନ ଯାଇଥିଲା । ସୂତ୍ର ଅନୁସାରେ, ସେ ପୂର୍ବରୁ କଠୋରପନ୍ଥୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ । ପାକିସ୍ତାନରେ ଚାଲୁଥିବା ଆତଙ୍କବାଦୀ ସଂଗଠନର ସହିତ ଯୋଗାଯୋଗ କରିଥିଲେ । ପାକିସ୍ତାନରେ ରହିବା ସମୟରେ ସେ ପ୍ରାୟ ଆଠ ମାସ ପର୍ଯ୍ୟନ୍ତ ସୁରକ୍ଷା ଏଜେନ୍ସିମାନଙ୍କ ଦୃଷ୍ଟିରୁ ନିଖୋଜ ଥିଲେ । ସେହି ସମୟରେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କର ଡିଜିଟାଲ୍ ଗତିବିଧି ଏବଂ ବିଜବେହାରାରେ ତାଙ୍କ ଘର ଉପରେ କଡ଼ା ନଜର ରଖିଥିଲା ।

୨୦୨୪ ଅକ୍ଟୋବରରେ ଆଦିଲ ପୁଞ୍ଚ-ରାଜୌରୀ ସେକ୍ଟରର ଦୁର୍ଗମ ଅଞ୍ଚଳ ଦେଇ ଗୁପ୍ତ ଭାବରେ ଭାରତରେ ପ୍ରବେଶ କରିଥିଲେ । ସୂଚନା ଅନୁସାରେ ସେ ୩-୪ ଜଣଙ୍କ ସହିତ ଏଲଓସି ପାର କରିଥିଲେ । ଭାରତରେ ପ୍ରବେଶ କରିବା ପରେ କିସ୍ତୱାଡ଼ରେ ରହୁଥିଲା ଆଦିଲ, ସେଠାରେ ମଧ୍ୟ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା । 

ଗୁଇନ୍ଦା ବିଭାଗର କହିବା ଅନୁସାରେ ବହୁତ ପୂର୍ବରୁ ଆଦିଲ ପାକିସ୍ତାନୀ ଆତଙ୍କବାଦୀକୁ ନିଜ ପାଖରେ ଆଶ୍ରୟ ଦେଇଥିଲେ ।  ସେ ସଠିକ୍ ସୁଯୋଗ ନପାଇବା ପର୍ଯ୍ୟନ୍ତ ଚୁପ୍ ଥିଲେ । ଅନ୍ୟପକ୍ଷରେ ଅନନ୍ତନାଗ ଯାତ୍ରା ଯୋଗୁଁ ବୈସରଣ ଉପତ୍ୟକା ଆନୁଷ୍ଠାନିକ ଭାବରେ ବନ୍ଦ ଥିଲା କିନ୍ତୁ ମାର୍ଚ୍ଚ ମାସରୁ ପର୍ଯ୍ୟଟକମାନେ ପୁଣି ଥରେ ସେଠାକୁ ଆସିବା ଆରମ୍ଭ କରିଥିଲେ । ଏହାର ସୁଯୋଗ ନେଇ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲେ ।