କନକ ବ୍ୟୁରୋ: ଏବେ ଟ୍ରେଣ୍ଡରେ ପଦଯାତ୍ରା ପଲିଟିକ୍ସ । ସରକାର ବିରୋଧୀ ମୁଦ୍ଦା ହେଉ, କି ଆଉ କିଛି ସବୁବେଳେ ଚର୍ଚ୍ଚାରେ ରହୁଛି ନେତାଙ୍କ ପଦଯାତ୍ରା । ରାସ୍ତାରେ ଚାଲି ଚାଲି ନେତାମାନେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ଆଉ ଏଇ ପଦଯାତ୍ରକୁ ନେଇ ରାଜନୀତି ବି ତେଜୁଛି । ବିହାରରେ ଆଜିଠୁ ଆରମ୍ଭ ହେଉଛି ରାହୁଲ ଗାନ୍ଧୀଙ୍କ ଭୋଟ୍ ଅଧିକାର ଯାତ୍ରା । ଏସଆଇଆରକୁ ନେଇ ବିହାର ରାଜନୀତି ସରଗରମ ଥିଲାବେଳେ, ରାହୁଲଙ୍କ ଏ ପଦଯାତ୍ରା ୧୬ ଦିନ ଧରି ଚାଲିବ । ଯେଉଁଥିରେ ସେ ବିହାରର ୨୦ରୁ ଅଧିକ ଜିଲ୍ଲାରେ ପହଞ୍ଚିବେ । ତେବେ ଏ ପଦଯାତ୍ରା ରାଜନୀତିର ଇତିହାସ କିନ୍ତୁ ଭାରି ପୁରୁଣା । ଆମ ଦେଶରେ ନେତାଙ୍କର ଏମିତି କିଛି ପଦଯାତ୍ରା ଅଛି, ଯିଏକି ସତ୍ତାକୁ ଓଲଟାଇ ଦେଇଥିଲା, ଆଉ ସରକାରକୁ ଅଡ଼ୁଆରେ ପକାଇଥିଲେ । ତେଣୁ ଆଜି ସେମିତି କିଛି ପଦଯାତ୍ରା ବିଷୟରେ ଆସନ୍ତୁ ଜାଣିବା...

Advertisment
PADYATRA 1
PADYATRA 1 Photograph: (KANAK NEWS)

୧୯୮୩ରେ ଚନ୍ଦ୍ରଶେଖରଙ୍କ ପଦଯାତ୍ରା, ବନିଥିଲେ ପ୍ରଧାନମନ୍ତ୍ରୀ

ସମାଜବାଦୀ ନେତା ଚନ୍ଦ୍ରଶେଖର ୧୯୮୩ ମସିହାରେ ଏକ ପଦଯାତ୍ରା ଆରମ୍ଭ କରିଥିଲେ । ଏହି ପଦଯାତ୍ରା ଥିଲା ରାହୁଲ ଗାନ୍ଧୀଙ୍କ ଜେଜେ ମାଆ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ । ଏହି ପଦଯାତ୍ରାରେ ସେ ୪୨୦୦ କିଲୋମିଟରର ଭାରତ ଯାତ୍ରା କରିଥିଲେ । ଆଉ ପଦଯାତ୍ରାରେ ହିଁ ଚନ୍ଦ୍ରଶେଖର ଲୋକଙ୍କ ବିଶ୍ୱାସ ଜିତିବାକୁ ସକ୍ଷମ ହୋଇଥିଲେ । କନ୍ୟାକୁମାରୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା, ଚନ୍ଦ୍ରଶେଖରଙ୍କ ରାଜନୈତିକ କ୍ୟାରିୟରକୁ ନୂଆ ଦିଶା ଦେଇଥିଲା । ଯାହା ଫଳରେ ଯେତେବେଳେ ଲାଲକୃଷ୍ଣ ଆଡଭାନୀଙ୍କ ଗିରଫ ପରେ, ଭିପି ସରକାରରୁ ବିଜେପି ନିଜର ସମର୍ଥନ ହଟେଇ ନେଇଥିଲା । ସେତେବେଳେ ଚନ୍ଦ୍ରଶେଖର ରାଜୀବ ଗାନ୍ଧୀଙ୍କ ସମର୍ଥନରେ ନିଜର ସରକାର ବନାଇବା ସହିତ ଦେଶର ପ୍ରଧାନମନ୍ତ୍ରୀ ବନିଥିଲେ ।

PADYATRA 2
PADYATRA 2 Photograph: (KANAK NEWS)

୨୦୦୩ରେ ଓ୍ୱାଇ ଏସ୍ ରାଜଶେଖର ରେଡ୍ଡୀଙ୍କ ପଦଯାତ୍ରା, ବନିଥିଲେ ମୁଖ୍ୟମନ୍ତ୍ରୀ

ବର୍ଷ ଥିଲା ୨୦୦୩, ସେତେବେଳେ ଆନ୍ଧ୍ରପ୍ରଦେଶର ବିଭାଜନ ହୋଇନଥିଲା । ଆଉ ଦୀର୍ଘ ସମୟ ଧରି ସତ୍ତାରୁ ଦୂରରେ ଥିଲା କଂଗ୍ରେସ । ତେଲୁଗୁ ଦେଶମ ପାର୍ଟି ଗଲା ୩ ଦଶକରୁ ଅଧିକ ସମୟ ଧରି ଆନ୍ଧ୍ରପ୍ରଦେଶର ଶାସନ ଅକ୍ତିଆର କରି ରଖିଥିଲା । ଏଭଳି ସମୟରେ ପ୍ରଦେଶ କଂଗ୍ରେସ ସଭାପତି ଓ୍ୱାଇଏସ୍ ରାଜଶେଖର ରେଡ୍ଡୀ କଂଗ୍ରେସକୁ ସତ୍ତାକୁ ଆଣିବାକୁ ଆରମ୍ଭ କରିଥିଲେ ପଦଯାତ୍ରା । ପ୍ରଜା ପ୍ରସ୍ଥାନମ ନାମରେ ସେ ଦୁଇ ମାସ ଧରି ପଦଯାତ୍ରା କରିଥିଲେ । ୧୫୦୦ କିଲୋମିଟରର ଅଧିକ ଦୂର ତାଙ୍କର ଏ ପଦଯାତ୍ରା, ତାଙ୍କ ଲୋକଙ୍କ ପାଖରେ ପହଞ୍ଚାଇଥିଲା । ଯାହା ଫଳରେ କି ୨୦୦୪ରେ ଟିଡିପିକୁ ହରେଇ ମୁଖ୍ୟମନ୍ତ୍ରୀ ବନେଇଥିଲେ ଓ୍ୱାଇ ଏସ୍ ରାଜଶେଖର ରେଡ୍ଡୀ ।

PADYATRA 3
PADYATRA 3 Photograph: (KANAK NEWS)

୨୦୧୪ରେ ଚନ୍ଦ୍ରବାବୁ ନାଇଡୁଙ୍କ ପଦଯାତ୍ରା, ପୁଣି ବନିଲେ ମୁଖ୍ୟମନ୍ତ୍ରୀ

୨୦୦୪ରେ ଓ୍ୱାଇଏସ୍ ରାଜଶେଖର ରେଡ୍ଡୀଙ୍କ ପଦଯାତ୍ରା ଚନ୍ଦ୍ରବାବୁ ନାଇଡୁଙ୍କୁ ସତ୍ତାରୁ ବେଦଖଲ କରିଥିଲା । ଆଉ ୨୦୦୯ରେ ମଧ୍ୟ ରାଜଶେଖର ରେଡ୍ଡୀ ସତ୍ତାକୁ ନିଜ ପାଖରେ ରଖିବାକୁ ସମର୍ଥ ହେଇଥିଲେ । ତେଣୁ ଏହାପରେ ୨୦୧୩ରେ ସେହି ସମାନ ଫର୍ମୁଲା ଆପଣାଇଥିଲେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ । ସତ୍ତାକୁ ଫେରିବାକୁ ୨୦୮ ଦିନରେ ସେ କରିଥିଲେ ୨୮୦୦ କିଲୋମିଟରର ପଦଯାତ୍ରା । ଯାହାକି ତାଙ୍କ ରାଜନୈତିକ କ୍ୟାରିୟରକୁ ପୁର୍ନଜନ୍ମ ଦେଇଥିଲା । ଯାହାଫଳରେ ୨୦୧୪ରେ ସେ ପୁଣି ଶାସନକୁ ଫେରିଥିଲେ । 

PADYATRA 4
PADYATRA 4 Photograph: (KANAK NEWS)

୨୦୧୭ରେ ଦିଗବିଜୟ ସିଂହଙ୍କ ପଦଯାତ୍ରା, କଂଗ୍ରେସ ସରକାରକୁ ଫେରିଲା

କଂଗ୍ରେସର ଦିଗଜ୍ଜ ନେତା ଦିଗବିଜୟ ସିଂ ୨୦୧୭ ମସିହାରେ ନର୍ମଦା ନଦୀର କୂଳରେ ୩୩ ଶହ କିଲୋମିଟରର ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାକୁ ସେ ଅଣ-ରାଜନୈତିକ କହିଥିଲେ ଆଉ ଏହାକୁ ଧାର୍ମିକ ଏବଂ ଆଧ୍ୟାତ୍ମିକ ପଦଯାତ୍ରାର ନାଁ ଦେଇଥିଲେ । ହେଲେ ୬ ମାସର ଏ ପଦଯାତ୍ରା କିନ୍ତୁ ତାଙ୍କୁ ଭୋଟ୍ ଜୁଟେଇବାକୁ ଯାହା ସାହାଯ୍ୟ କରିବା କଥା, ତାହା କରିଦେଇଥିଲା । ଦିଗବିଜୟଙ୍କ ଏ ପଦଯାତ୍ରା ଖାଲି ବିଜେପିକୁ ମାତ୍ ଦେଇନଥିଲା, ବରଂ କଂଗ୍ରେସକୁ ସତ୍ତାକୁ ଫେରାଇଥିଲା । ୨୦୧୮ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନରେ କଂଗ୍ରେସ, ବିଜେପିକୁ ହରେଇ ସରକାରକୁ ଫେରିଥିଲା । ଆଉ କମଳନାଥ ବନିଥିଲେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ । ହେଲେ ପରେ ପରେ କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ କରିବା ସହ ପୁଣିଥରେ ବିଜେପି ସତ୍ତାକୁ ଫେରିଥିଲା ।

PADYATRA 5
PADYATRA 5 Photograph: (KANAK NEWS)

୨୦୨୨ରେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା, ବଢ଼ିଲା କଂଗ୍ରେସର ବଳ

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୨ରେ ରାହୁଲ ଗାନ୍ଧୀ ଆରମ୍ଭ କରିଥିଲେ ଭାରତ ଯୋଡ଼ ଯାତ୍ରା । ଏହି ଯାତ୍ରା ସେ କନ୍ୟାକୁମାରୀରୁ ଆରମ୍ଭ କରି କଶ୍ମୀରରେ ପହଞ୍ଚିଥିଲେ । ୫ ମାସର ଏ ଯାତ୍ରା, ରାହୁଲଙ୍କୁ କେବଳ ନେତା ହିସାବରେ ବଳ ଦେଇନଥିଲା । ବରଂ କଂଗ୍ରେସକୁ ବି ଦେଇଥିଲା ବୁଷ୍ଟର ଡୋଜ୍ । ଏହି ଯାତ୍ରାରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ଯୁବକ, ମହିଳା, ଆଦିବାସୀମାନେ କଂଗ୍ରେସ ସହ ଯୋଡ଼ି ହୋଇଥିଲେ । ଯାହାର ରେଜଲ୍ଟ ଇଲେକ୍ସନରେ ମଧ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ ମୋଦୀ ହାଓ୍ୱାକୁ କାଟି ସତ୍ତାକୁ ଫେରିପାରିନଥିଲା ସତ, ହେଲେ କଂଗ୍ରେସ ଆଉ ବିରୋଧୀ ମେଣ୍ଟ କିନ୍ତୁ ସଂସଦରେ ଶକ୍ତିଶାଳୀ ହୋଇଥିଲେ ।

ଆଉ ଏବେ ଯେତେବେଳେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ସେତେବେଳେ ରାହୁଲ ଗାନ୍ଧୀଙ୍କ ଏ ଭୋଟ୍ ଅଧିକାର ଯାତ୍ରା କଂଗ୍ରେସକୁ କେତେ ଫାଇଦା ଦେଉଛି ତାହା ଦେଖିବାକୁ ବାକି ରହିଲା?