କନକ ବ୍ୟୁରୋ : ପରିବାର ମୁହଁରେ ଦାନା ଟିକିଏ ଯୋଗାଡ କରିବା ପାଇଁ ପୋଖରିର ଭରା ପାଣିକୁ ଖାତିରି ନକରି ପାଣିରେ ବୁଡି ବୁଡି ସଂଗ୍ରହ କରୁଛନ୍ତି ମହୁନାଡ ।  କାରଣ ଏହି ମହୁନାଡ ବିକ୍ରିକରି ପରିବାର ପୋଷୁଛନ୍ତି ଆନେକ ଲୋକ । ଏହି ମହୁନାଡରୁ ଯାହା ରୋଜଗାର ହୁଏ ସେଥିରେ ଚଳେ ତେଲ ଲୁଣର ସଂସାର । ଦର୍ଶକ ବନ୍ଧୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ହ୍ରଦରେ । ହ୍ରଦଟି ପଦ୍ମଫୁଲରେ ପୂର୍ଣ୍ଣ । ପଦ୍ମଫୁଲର ଯେଉଁ ଅଂଶ ପାଣି ଭିତରେ ବୁଡି ରହିଥାଏ । ତାହାର ସେହି ମୁଳଭାଗକୁ ମାଟିରୁ ବାହାର କଲେ ଯେଉଁ ଚେର ଅଂଶଟି ବାହାରେ ତାହା ହେଉଛି ମହୁନାଡ । ଏହି ହ୍ରଦ ଏବେ ଅନେକ ଗରିବ ପରିବାରର ମୁହଁରେ ଦାନାପାଣି ଯୋଗାଡ କରିବାରେ ସହାୟକ ହୋଇଛି । ଜାହାଡା, ବରଡାବିଲି, ସଦମାଇଲି, ସିଙ୍ଗିପୁର, ତାଳପାଟଣା ଓ ମଶାଣିଭାଗ ଭଳି ଗାଁର ଅନେକ ଗରିବ ପରିବାରର ସ୍ତ୍ରୀ ଓ ପୁରୁଷ ଏବେ ଏହି ହ୍ରଦରୁ ମହୁନାଡ ପାଣିରେ ବୁଡି ବୁଡି ସଂଗ୍ରହ କରନ୍ତି । ତାକୁ ଗାଁକୁ ଗାଁ ବୁଲି ବିକ୍ରି କରି ଯେଉଁ ଅର୍ଥ ପାଉଛନ୍ତି ସେଥିରେ ନିଜ ପରିବାର ଗୁଜୁରାଣ ମେଂଟାଉଛନ୍ତି ।

Advertisment

 କାମ ଧନ୍ଦାର ଅଭାବ ଯୋଗୁଁ ଏବେ ଅନେକ ଲୋକ କୌଣସି ଉପାୟ ନପାଇ ଏହି ପାଣିରୁ ମହୁନାଡ ସଂଗ୍ରହ କରି ଚଳୁଛନ୍ତି । ଜାହାଡାର ଆଖପାଖ ଗାଁର ଗରିବ ଲୋକଙ୍କ ପରିବାର ପୋଷିବାର ଏବେ ବଡ ମାଧ୍ୟମ ସାଜିଛି ଏହି ମହୁନାଡ । ସକାଳୁ ସକାଳୁ ଲୋକେ ହ୍ରଦକୁ ଆସି ବିପଦ ଶଙ୍କୁଳ ଆବସ୍ଥାରେ ମଣିଷେ ପାଣିରେ ବୁଡି ବୁଡି ପଙ୍କରେ ପୋତି ହୋଇଥିବା ପଦ୍ମଫୁଲର ଗଭା ଖୋଳି ବାହାର କରିଥାନ୍ତି । ଏହା ପାଣି ଭିତରୁ ବାହାର କରିବା ଏତେଟା ସହଜ ନୁହେଁ । ତଥାପି ଲୋକେ ଜୀବନକୁ ବାଜିରେ ଲଗାଇ ସଂଗ୍ରହ କରନ୍ତି । ପୁଣି ସଂଗ୍ରୁହିତ ନାଡକୁ ପାଣିରେ ଭଲ ଭାବେ ଧୋଇ ସଫା କରିବା ପରେ ଘରକୁ ନେଇଥାନ୍ତି । ଘରେ ପୁଣି ଏହାକୁ କାଟି ବିଡା ବାନ୍ଧି ଆଖପାଖ ଗାଁକୁ ବୁଲି ବୁଲି ଯାଇ ବିକ୍ରି କରିଥାନ୍ତି । ସକାଳ ବେଳା ସେମାନେ ମହୁନାଡ ସଂଗ୍ରହ କରୁଥିବା ବେଳେ ଉପର ବୋଳା ସଂଗ୍ରୃହିତ ମହୁନାଡକୁ ବିକ୍ରି କରିଥାନ୍ତି ।

 ଜଣେ ଲୋକ ଦିନ ତମାମ ମହୁନାଡ ସଂଗ୍ରହ କଲେ ୨୦୦ ଟଙ୍କା ରୋଜଗାର ହୋଇଥାଏ । ଆଉ ସେଥିରେ ନିଜ ନିଜ ପରିବାର ମୁହଁରେ ଦାନା ଦେଇଥାନ୍ତି ଗରିବ ପରିବାର । ସମୟେ ସମୟେ ମହୁନାଡ ସଂଗ୍ରହ ବେଳେ ପାଣିରେ ବୁଡି ରହିବା ଫଳରେ ଶ୍ୱାସ ରୁଦ୍ଧ ହୋଇଯାଏ । ପୁଣି କାଦୁଅ ପଙ୍କ ମଧ୍ୟରେ ବୁଡି ବୁଡି ଏହା ସଂଗ୍ରହ କରିବା ସମୟରେ ଜିବନ ପ୍ରତି ବିପଦ ଥାଏ । ତଥାପି କର୍ମସଂସ୍ଥାନର ଅଭାବ ଯୋଗୁଁ ପରିବାର ମୁହଁରେ ଦାନା ଦେବାକୁ ବାଧ୍ୟ ହୋଇ ଏହାକୁ ଏକ ରୋଜଗାର ମାଧ୍ୟମ କରିଛନ୍ତି ଲୋକେ  ।