କନକ ବ୍ୟୁରୋ : ପାଚିଲା ଧାନ କ୍ଷେତକୁ ଦେଖି ଖୁବ୍ ଖୁସିଥିଲେ ଚାଷୀ । ଭଲ ଅମଳ କରି ବେଶ ଦୁଇ ପଇସା ଉପାର୍ଜନ ହେବ ବୋଲି ଆଶା ଥିଲା । ହେଲେ ବର୍ଷା ଚାଷୀଙ୍କ ପରିଶ୍ରମକୁ ଧୋଇନେଇଛି । ସୁନାର ଫସଲ ପାଣିରେ ବୁଡ଼ି ରହିଛି । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତର ସାନମୂଳା, ବଳଧା, ସିନ୍ଧଭାଡ଼ି ଓ ଜାମଖୁଣ୍ଟା ପଞ୍ଚାୟତର ଚାଷୀଙ୍କ ଧାନ ଚାଷ ନଷ୍ଟ ହୋଇଯାଇଛି । ଚାଷୀ ନିରାଶ ହୋଇଛନ୍ତି ।
ଅଦିନିଆ ବର୍ଷାରେ ଚାଷ ନଷ୍ଟ କରିଦେଇଛି । ଜମିରେ ବୁଡି ରହିଛି ଧାନ । କଟା ହୋଇଥିବା ଧାନ ପାଣିରେ ପଡ଼ିପଡ଼ି ଗଜା ହୋଇଯାଇଛି । ସବୁ ଚାଷ ଧୋଇ ଯାଇଛି । ଗଜା ଧାନକୁ ଦେଖି ଧାର କରଜ କେମିତି ସୁଝିବେ, ପିଲାଛୁଆ ବର୍ଷ ସାରା କଣ ଖାଇବେ ତାକୁ ନେଇ ଚାଷୀ ମହଲରେ ଭାଳେଣି ପଡ଼ିଛି । ଏବେ ସରକାରୀ କ୍ଷତିପୂରଣ ହିଁ ଚାଷୀଙ୍କ ସାହା ଭରସା । ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।