କନକ ବ୍ୟୁରୋ: ମଣ୍ଡି ପ୍ରସ୍ତୁତ, ସରକାର ବି ପ୍ରସ୍ତୁତ । ବିନା କଟନି ଛଟନିରେ ଚାଷୀ ମଧ୍ୟ ଉତ୍ସାହର ସହ ଧାନ ବିକିବାକୁ ଚାହିଁ ବସିଛନ୍ତି । କିନ୍ତୁ ସରକାରଙ୍କ ୨ ମନ୍ତ୍ରୀଙ୍କ ବୟାନ ଏବେ କଟନି ଛଟନିକୁ ନେଇ ଚାଷୀଙ୍କୁ ଆଶଙ୍କାରେ ପକାଇଛି । ପ୍ରଶ୍ନ ଉଠୁଛି ବିନା କଟନି ଛଟନିରେ ଧାନ କିଣିପାରିବେ ତ ସରକାର?
ଗୋଟିଏ ଦିନରେ ମୋହନ ସରକାରଙ୍କ ୨ ମନ୍ତ୍ରୀଙ୍କ ବୟାନ ଧାନ କିଣା ପୂର୍ବରୁ ଚାଷୀଙ୍କ ଚିନ୍ତା ବଢାଇଛି । ବୋନସ ମିଳିବା ସହ କଟନି ଛଟନି ବନ୍ଦ ହେବ ବୋଲି ସରକାର ପୂର୍ବରୁ ଆଶ୍ୱସ୍ତ କରିଥିଲେ। କିନ୍ତୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବୟାନ କଟନି ଛଟନିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କଟନି ଛଟନି କମ ହେବ ବୋଲି କହି ସରକାରଙ୍କ ଘୋଷଣାକୁ ପ୍ରଶ୍ନଘେରକୁ ଠେଲି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କିନ୍ତୁ ଧାନ କିଣାରେ ସ୍ୱଚ୍ଛତା ରଖିବାକୁ ଉଭୟ ଚାଷୀ ଓ ସରକାରଙ୍କ ପାଖରେ ସମାନ ସ୍ଲିପ ରହିବ ବୋଲି କହିଛନ୍ତି କନକ ବର୍ଦ୍ଧନ । ଅନ୍ୟପଟେ ଉପ-ମୁଖ୍ୟମନ୍ତ୍ରୀଙ୍କ ମତ ଉପରେ ସନ୍ଦେହ ଥିବା କଥା କହି ସରକାରଙ୍କୁ ତେରଛା ବାଣ ମାରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା।
୩୧୦୦ ଟଙ୍କାରେ ସବୁ ଧାନ କିଣିବେ ସରକାର
କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ
କଟନି ଛଟନି ଦ୍ୱନ୍ଦ୍ୱ ଭିତରେ ଧାନ କିଣାବିକାରେ କଳାବଜାରୀ ବଢିଥିବା ଅଭିଯୋଗ ହୋଇଛି । ମଣ୍ଡି ଖୋଲିବା ପୂର୍ବରୁ ବାହାର ବେପାରୀ କମ ଦାମରେ ଧାନ କିଣୁଥିବାରୁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ସମବାୟ ମନ୍ତ୍ରୀ। କମ ଦାମରେ କେଜିଏ ବି ଧାନ ନବିକିବାକୁ ଚାଷୀଙ୍କୁ ଅପିଲ କରିଛନ୍ତି ବିଭାଗୀୟ ମନ୍ତ୍ରୀ । କଟନି ଛଟନି ବନ୍ଦ କରିବାକୁ ମଣ୍ଡିରେ ସିସିଟିଭି ବ୍ୟବସ୍ଥା ସହ ପ୍ୟାଡି କ୍ଲିନର, ଗ୍ରେନ ଆନାଲାଇଜର ବ୍ୟବସ୍ଥା ହୋଇଛି । ମାତ୍ର ୨୦୦ଟି ବଡ ମଣ୍ଡିରେ ଗ୍ରେନ ଆନାଲାଇଜର ମେସିନ ଲଗାଯିବ । କିନ୍ତୁ ଅନ୍ୟ ମଣ୍ଡିରେ ଧାନର ଏଫଏକ୍ୟୁ ମାନ କେମିତି ଯାଞ୍ଚ ହେବ ତାହା ସବୁଠୁ ବଡ ପ୍ରଶ୍ନ ।
ଧାନ କିଣା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ମଣ୍ଡି ମଧ୍ୟ ଏଥିପାଇଁ ପୂରା ପ୍ରସ୍ତୁତ । ଧାନ କିଣା ସମୟରେ ବାହାର ରାଜ୍ୟରୁ ଯେପରି ଧାନ ଓଡ଼ିଶା ଭିତରକୁ ନଆସେ ସେଥିପାଇଁ ୫ ସୀମାନ୍ତବର୍ତ୍ତୀ ଜିଲ୍ଲାର ସୀମାକୁ ସିଲ କରାଯିବ ।