କନକ ବ୍ୟୁରୋ: ଆଜିଠାରୁ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେଉଛି ଧାନ କିଣା ପ୍ରକ୍ରିୟା । ଚଳିତ ଖରିଫ ଋତୁରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ । ୨୩୦୦ ଟଙ୍କା ଏମ୍‌ଏସପି ଓ ୮୦୦ ଟଙ୍କା ବୋନସ୍ ପାଇବେ ।
 

Advertisment

ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଖରିଫ ଧାନ ସଂଗ୍ରହ କରାଯାଉଛି ।  କିଭଳି ସୁରୁଖୁରୁରେ ଧାନକିଣା ହେବ ସେନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ।  ଧାନ କିଣାର ଗୋଟେ ସ୍ଲିପ ଚାଷୀ ଏବଂ ଆଉ ଗୋଟେ ସରକାରଙ୍କ ପାଖରେ ରହିବ । ପ୍ରତ୍ୟେକ ମଣ୍ଡିରେ ଜଣେ ନୋଡାଲ ଅଫିସର ରହିବେ । ୪/୫ ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ । ଜିଲ୍ଲାର ଧାନ କିଣା ଦାୟିତ୍ୱରେ ଜିଲ୍ଲାପାଳ ରହିବେ । ଦୁଇ ଜିଲ୍ଲାରେ ଧାନକିଣା ଦାୟିତ୍ୱରେ ରହିବେ ଜଣେ ମନ୍ତ୍ରୀ । ଧାନର ମାନ ପରୀକ୍ଷଣ, କଟନି ଛଟନି,  ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, ବାହାର ରାଜ୍ୟ ବେପାରୀଙ୍କ ଉପରେ ରୋକ, ମଣ୍ଡିରେ ଦଲାଲି ବନ୍ଦ ଆଦି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । 

ଏଥର ଧାନମଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଛି, ପ୍ୟାଡି କ୍ଲିନର, ଗ୍ରୀନ ଆନାଲାଇଜର,ତାରପୋଲିନ ବ୍ୟବସ୍ଥା ହୋଇଛି । ଚାଷୀମାନେ ମଣ୍ଡିକୁ ଆସିଲେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବା ସହ ସବୁଠି ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା କରିଛନ୍ତି ସରକାର । ଚଳିତ ଖରିଫ ଋତୁ ଧାନ ବିକ୍ରି ପାଇଁ ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୫୫ ହଜାର ୩୬୬ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷ ୫୪ ହଜାର ୩୪୭ କ୍ଵିଣ୍ଟାଲ ଧାନ କିଣିବାକୁ ଧାର୍ୟ୍ୟ ରଖାଯାଇଛି । ଅନ୍ୟପଟେ ବିଭିନ୍ନ ମଣ୍ଡିର ବ୍ୟବସ୍ଥା କେମିତି ରହିଛି ସେ ନେଇ ନିଜେ ଜିଲ୍ଲାପାଳ ବିଭିନ୍ନ ମଣ୍ଡି ବୁଲି ତଦାରଖ କରିଛନ୍ତି ।