କନକ ବ୍ୟୁରୋ: ଖବର ବାଜିଲା। ମଣ୍ଡି ଖୋଲିଲା। ଢେଙ୍କାନାଳରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଘର ପାଖ କାଙ୍କଡ଼ପାଳ ଧାନ ମଣ୍ଡି ବନ୍ଦଥିବା ଖବର ପ୍ରଥମେ କନକ ନ୍ୟୁଜରେ ପ୍ରସାରଣ ହେବାର ୨୪ ଘଣ୍ଟା ନପୁରୁଣୁ ଆଜି ମଣ୍ଡି ଖୋଲିବା ସହ କିଣାବିକା ଆରମ୍ଭ ହୋଇଛି। ମଣ୍ଡିରେ ମିଲରଙ୍କ ଟ୍ରକ ଲାଗିଛି। ଚାଷୀଙ୍କ ଧାନ ଓଜନ ହୋଇ ଲୋଡ ହେଉଛି। ମଣ୍ଡିରେ ଦୁଇଟି ପଞ୍ଚାୟତ ଯଥା କାଙ୍କଡ଼ପାଳ ଓ ସୁଆଖାଇ କାଟେନି ଗ୍ରାମ ପଞ୍ଚାୟତ ଏଵଂ ସିମିଲିଆ ପୌରାଞ୍ଚଳର ୧୮ ଓ ୧୯ ନମ୍ବର ୱାର୍ଡ ଚାଷୀଙ୍କୁ ଟୋକନ ଦିଆ ଯାଇଛି। ଜିଲ୍ଲା ବ୍ୟାପୀ ଧାନ କିଣାବିକା ଆରମ୍ଭ ହୋଇଛି ସତ, କିନ୍ତୁ କଟନୀଛଟନୀ ବନ୍ଦ ହୋଇନାହିଁ। ଚାଷୀଙ୍କ ଠାରୁ ୪ କେଜି ଧାନ କଟାଯାଇଥିବା କଟାଯାଉଛି। ତେବେ ଚାଷୀ ମୁହଁ ଖୋଲୁନଥିଲେ ବି ଆର୍ଥିକ ଅନଟନ ଭିତରେ ଥିବା ଚାଷୀ କହିଛନ୍ତି ଯେ ସେମାନଙ୍କ ଠାରୁ ୪କେଜି ଧାନ କଟା ହେଉଛି। ମଣ୍ଡିର ପ୍ରଥମ ଫେଜରେ ୧୫ହଜାର ୫୦୦ କ୍ବିଣ୍ଟାଲ ଟାର୍ଗେଟରୁ ତିନିଥର ମଣ୍ଡିରେ ୨ହଜାର କ୍ବିଣ୍ଟାଲରୁ ଅଧିକ ଧାନ ଉଠିଛି। ୬୨୪ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ ହେଇଛି। ମିଲରଙ୍କ ଉପସ୍ଥିତିରେ ଧାନର ମାନ ପରୀକ୍ଷଣ ହେଇ ଟ୍ରକକୁ ଉଠୁଛି। ସମବାୟ ସମିତି ସଭାପତି କହୁଛନ୍ତି ଚାଷୀ ଓ ମିଲରଙ୍କ ଭିତରେ ଉତ୍ତମ ବୁଝାମଣାରେ ଧାନ ଉଠୁଛି। ମିଲର୍ କହୁଛନ୍ତି ଆଉ କୌଣସି ଅସୁବିଧା ନାହିଁ ଓ ଏହି ମଣ୍ଡିର ସବୁ ଧାନ ଉଠାଯିବ। କିନ୍ତୁ କଟନୀଛଟନୀ ନେଇ କିଛି କହୁନଥିବା ଜଣାପଡ଼ିଛି।