Paddy Procurement Photograph: (Kanak News)
କନକ ବ୍ୟୁରୋ : ଉଦଘାଟନରେ ସୀମିତ ଧାନ ମଣ୍ଡି । କ୍ରୟକାରୀ ସଂସ୍ଥାକୁ ଟାର୍ଗେଟ ଆସିନଥିବାରୁ ମଣ୍ଡିରେ ହୋଇ ପାରୁ ନାହିଁ କିଣାବିକା । ଫଳରେ ମଣ୍ଡିକୁ ଯାଇ ଚାଷୀଙ୍କୁ ନିରାଶ ହେବାକୁ ପଡୁଛି । ଖୋଲା ଆକାଶ ତଳେ ପଡ଼ିରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ଅପେକ୍ଷା ମଣ୍ଡିରେ ଧାନ ବିକ୍ରି ହେଲେ ଦୁଇ ପଇସା ରୋଜାଗାର ହେବ । ହେଲେ ଏଥିରେ କଣ୍ଟା ସାଜିଛି ଟାର୍ଗେଟ । କ୍ରୟକାରୀ ସଂସ୍ଥାକୁ ଟାର୍ଗେଟ ଆସିନଥିବାରୁ ମଣ୍ଡିରେ ଧାନ ବିକ୍ରି ହୋଇପାରୁନି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ରାୟଗଡ଼ା ରାମାନାଗୁଡ଼ାର ଚାଷୀ ।
କୃଷି ବିଭାଗ ତଥ୍ୟ ଅନୁସାରେ, ରାମାନାଗୁଡ଼ା ବ୍ଲକରେ ୩ ହଜାର ୩୧୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ୩ ହଜାର ୩୬୩ ଜଣ ଚାଷୀ ମଣ୍ଡିରେ ଧାନ ବିକିବା ପାଇଁ ସମବାୟ ସମିତିରେ ପଞ୍ଜୀକରଣ କରିଛନ୍ତି । ଚଳିତ ମାସ ୧୭ରୁ ବ୍ଲକରେ ମଣ୍ଡି ଶୁଭାରମ୍ଭ ପରେ ବି ଯୋଗାଣ ବିଭାଗ ଓ ମିଲର୍ସଙ୍କ ଚୁକ୍ତି ସ୍ୱାକ୍ଷର ହୋଇ ପାରିନଥିବାରୁ କ୍ରୟକାରୀ ସଂସ୍ଥା ନିକଟରେ ଟାର୍ଗେଟ୍ ପହଞ୍ଚିପାରିନାହିଁ । ଫଳରେ କୁଜେନ୍ଦରୀ, ଚାକୁଣ୍ଡା, ଉକମ୍ବା ଓ ଗୁମୁଡ଼ା ଧାନ ମଣ୍ଡିରୁ ମୁଠାଏ ଧାନ ବି କିଣାଯାଇପାରିନି ।
ରାୟଗଡ଼ା ଜିଲ୍ଲାପାଳ କହିଛନ୍ତି, ମିଲର୍ସଙ୍କ ସହ ଚୁକ୍ତି ସ୍ୱାକ୍ଷରରେ ଟିକେ ବିଳମ୍ବ ଘଟିଛି । ଖୁବଶୀଘ୍ର ଟାର୍ଗେଟ ଆସିଲେ ଚାଷୀ ମଣ୍ଡିରେ ଧାନ ବିକିପାରିକୁ ବିକ୍ରି କରିପାରିବେ । ମଣ୍ଡିରେ ଧାନ ବିକ୍ରି କରିବା ଚିନ୍ତା ଚାଷୀକୁ ଯେତିକି ଘାରିଛି, ତା’ ଠୁ ଅଧିକ ଚିନ୍ତା ହେଉଛି ଚାଷ ପାଇଁ ଆଣିଥିବା ଋଣ କେମିତି ପରିଶୋଧ କରିବ । ତେଣୁ ଟୋକେନ ଓ ଟାର୍ଗେଟ ସମସ୍ୟାରେ ଛନ୍ଦି ହୋଇ ପଡିଥିବା ଚାଷୀଙ୍କ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ।
Follow Us