କନକ ବ୍ୟୁରୋ : ଝାରସୁଗୁଡ଼ାରେ ପୁଣି ଥରେ ତେଜିବାରେ ଲାଗିଛି ପାଉଁଶ ରାଜନୀତି । ଶାସକ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗତ ଲଗାଣ ବର୍ଷାରେ ନିର୍ମାଣାଧୀନ ଜାତୀୟ ରାଜପଥ-୪୯ରୁ ପାଉଁଶ ବର୍ଷା ଜଳରେ ବୋହିଯାଇ ଚାଷ ଜମିକୁ ମାଡ଼ିଯିବା ଘଟଣାରେ ବିଧାୟକଙ୍କୁ ବିଜେଡି ଟାର୍ଗେଟ୍ କରିବା ପରେ ବିଜେପି ମଧ୍ୟ ପାଲଟା ଜବାବ ରଖିଛନ୍ତି ।
ଲଗାଣ ବର୍ଷାରେ ଝାରୁସୁଗୁଡ଼ା ଜିଲ୍ଲାରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି । ନିର୍ମାଣଧୀନ ଜାତୀୟ ରାଜପଥ-୪୯ରୁ ପାଉଁଶ ବୋହି ଚାଷ ଜମିକୁ ମାଡ଼ି ଯାଇଛି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ । କହିଛନ୍ତି, ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପାଉଁଶ ବ୍ୟବସାୟରେ ଲିପ୍ତ ଅଛନ୍ତି ଓ ତାଙ୍କ ଇସାରାରେ ହିଁ ରାଜପଥରେ ପାଉଁଶ ପଡ଼ିଛି ।
ଅନ୍ୟପଟେ ଏହାର ଜବାବ ରଖିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ । ଝାରସୁଗୁଡ଼ା କାପୁମାଲ ଠାରେ ପାଉଁଶ ପାହାଡ଼ କିଏ ସୃଷ୍ଟି କଲା ? ଜମେରା, ବଡ଼ମାଲ, କାର୍ତିକେଲାର ଶତାଧିକ ଏକର ଜମିରେ ପାଉଁଶ ମାଡ଼ିଗଲା । ସେଥିରେ କାହାର ସଂପୃକ୍ତି ଅଛି ? ଗତ ନିର୍ବାଚନ ସମୟରେ ଦୀପାଳିଙ୍କ ସତ୍ୟପାଠରେ ଥିବା ଲଜିଷ୍ଟିକ କମ୍ପାନି ଓ ଭାରୀଯାନ ପାଉଁଶ ପରିବହନରେ ନିୟୋଜିତ ନଥିଲା କି ? କୁତ୍ସାରଟନା ନକରି ଝାରସୁଗୁଡ଼ାର ବିକାଶ ଦିଗରେ ଗଠନମୂଳକ ପ୍ରସ୍ତାବ ଦିଅନ୍ତୁ ଆମେ ଗ୍ରହଣ କରିବୁ ବୋଲି କହି ଦୀପାଳିଙ୍କୁ ସମାଲୋଚନା କରିଛନ୍ତି ଟଙ୍କଧର । ରାଜନୈତିକ ବିବାଦ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି । ବିରୋଧୀ-ଶାସକ ବାଦବିବାଦରେ ବ୍ୟସ୍ତ । ହେଲେ ଯେଉଁମାନଙ୍କ ଚାଷଜମି କ୍ଷତିଗ୍ରସ୍ତ ହେଲା ସେମାନଙ୍କୁ କିଏ ଦେବ କ୍ଷତିପୂରଣ ?