କନକ ବ୍ୟୁରୋ : ଇନ୍ଦ୍ରାବତୀ ପାଦତଳେ ଥାଇ ମଧ୍ୟ ନିରାଶ ଚାଷୀ । ଏହି ସମୟରେ ଯେଉଁ କ୍ଷେତରେ ସୁନାର ଫସଲ ଦିଶିବା କଥା । ସେହି କ୍ଷେତରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଉପୁଜିଛି । ଯାହାଫଳରେ ମୁଣ୍ଡରେ ହାତ ଦେଇ ଚାଷ ପାଇଁ କରିଥିବା ଧାର କରଜ କିଭଳି ସୁଝିବେ ଚିନ୍ତାରେ ବସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ଚାଷୀ । ଶେଷରେ ଏହାର ସ୍ଥାୟୀ ସମାଧାନ ଓ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାଷୀ ।
ଇନ୍ଦ୍ରାବତୀ ପାଖରେ ଶୁଖିଲା ଚାଷ ଜମି । କାମରେ ଆସୁନି କେନାଲ ପାଣି । ବର୍ଷା ଭରସାରେ ଚାଷୀ କରିଥିଲେ ଧାନ ଚାଷ । ଯେଉଁ କ୍ଷେତରେ ଏବେ ସୁନାର ଫସଲ ଦିଶିବା କଥା, ସେ ଜମି ଫାଟି ଆଁ କରିଛି । କଳାହାଣ୍ଡି ଜୟପାଟଣା ବ୍ଲକ ଅଧିନ ବାନେର ଓ ଭଇଁରିପାଲି ପଞ୍ଚାୟତର ହେକ୍ଟର ହେକ୍ଟର ଚାଷ ଜମିରେ ମରୁଡି ପରିସ୍ଥିତି ଦେଖାଦେଇଛି । ନିଅଣ୍ଟିଆ ବର୍ଷା ଯୋଗୁଁ ଆରମ୍ଭରୁ ବିଳମ୍ବରେ ଚାଷ କାର୍ଯ୍ୟ ହୋଇଥିଲା । ଧାନ ଗଛର କେଣ୍ଡା ବାହାରିବା ସମୟରେ ପାଣି ଅଭାବରୁ ଗଛ ବଞ୍ଚିଛି କିନ୍ତୁ ଧାନ କେଣ୍ଡା ନାହିଁ । ବିଲକୁ ଦେଖି ଚାଷୀ ହତାଶ ହୋଇପଡ଼ିଛନ୍ତି, ମରୁଡି ଆଶଙ୍କା କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ବାମ, ଡାହାଣ ଓ ଲିଫ୍ଟ କେନାଲ ମାଧ୍ୟମରେ ଜିଲ୍ଲା ବ୍ୟାପି ଜଳ ଯୋଗାଣ କରାଯାଉଛି । ହେଲେ ପ୍ରକଳ୍ପ ପାଖରେ ଥାଇ ମଧ୍ୟ ବାନେର ଓ ଭଇଁରିପାଲି ପଞ୍ଚାୟତର ୫ଶହ ଏକରରୁ ଉର୍ଦ୍ଧ ଚାଷ ଜମି ଜଳସେଚିତ ହୋଇ ପାରୁନାହିଁ । ଏନେଇ ଚାଷୀ ଅନେକ ଥର ଜଳସେଚନ ବିଭାଗର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ଚାଷ ମରୁଡି ମହାଁ ବୋଲି ଅଭିଯୋଗ କରିଛି ଜୟପାଟଣାର ମାଆ ରକ୍ତ ବୋଡେନ କୃଷକ ସଙ୍ଘ ।
ଚାଷ ଜମି ଗୁଡିକ ଶୁଖି ପୋଡି ଯାଇଥିବା ବେଳେ ଋଣ କରଜ କରି ଚାଷ କାର୍ଯ୍ୟ କରିଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଧାନ ନହେଲେ କିଭଳି ଋଣ ପରିଶୋଧ କରିବା ସହ ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଭାଳେଣୀ ପଡ଼ିଛି ।