କନକ ବ୍ୟୁରୋ: ଗଞ୍ଜାମରେ ଆରମ୍ଭ ହୋଇଛି ଧାନ ଚାଷ । ହେଲେ ଚାଷ ଋତୁ ଆରମ୍ଭରୁ ଚିନ୍ତାରେ ପଡ଼ିଛି ଚାଷୀ କୂଳ । କାରଣ ହେଉଛି ଜଳସେଚନର ଅଭାବ ଓ ମୌସୁମୀ ବର୍ଷାର ଅନିୟମିତତା । ଗତ ୨ ବର୍ଷ ହେଲା ଏହି ୨ କାରଣ ପାଇଁ ଚାଷୀ ଅନେକ କ୍ଷତି ସହିଛି । ତେବେ ଆଗକୁ ପରିସ୍ଥିତି କ’ଣ ହେବ ସେଥିପାଇଁ ଚାଷୀ ଚାଷ କରିବାକୁ ଅମଙ୍ଗ ହେଉଛି ।
ଖରିଫ ଚାଷ ଆରମ୍ଭରୁ ଚିନ୍ତାରେ ଗଞ୍ଜାମ ଚାଷୀକୁଳ । ୨ବର୍ଷ ହେଲା ମୌସୁମୀ ବର୍ଷାରେ ଅନିୟମିତତା ଓ ଜଳାଭାବ ପାଇଁ ଅନେକ ଜମିରେ ଧାନ ହୋଇନଥିଲା । ଏବେ ବି ସମାନ ସମସ୍ୟା । ଗଞ୍ଜାମରେ ଜମିକୁ ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଆସିକା ବ୍ଲକରେ ୯୯୯ ହେକ୍ଟର ଓ ଧରାକୋଟରେ ୬୬୦ ହେକ୍ଟର ଜମି ଅଣଜଳସେଚିତ ରହିଛି । ଫଳରେ ଚାଷ କାର୍ଯ୍ୟରୁ ଧୀରେଧୀରେ ମୁହଁ ଫେରାଇ ନେଉଛନ୍ତି ଚାଷୀ ।
ଏ ବର୍ଷ ଗଞ୍ଜାମ ଜିଲ୍ଲା ଆସିକାରେ ୭ ହଜାର ୨୧୩ ହେକ୍ଟର, ଧରାକୋଟରେ ୫ ହଜାର ୭୪୮ ହେକ୍ଟର, ସେରଗଡ଼ରେ ୭ ହଜାର ୫୨ ହେକ୍ଟର ଓ ସୋରଡାରେ ୬ ହଜାର ୮୩୭ ହେକ୍ଟର ଜମିରେ ଧାନ ଚାଷ ହେବ । ସେଥିପାଇଁ ଚାଷୀ ବିହନ କିଣି ତଳି ପକାଇଛନ୍ତି । କିନ୍ତୁ ଜଳସେଚନ ବ୍ୟବସ୍ଥା ନଥିବାରୁ ବର୍ଷାକୁ ଅପେକ୍ଷା କରିରହିଛନ୍ତି । ଯଦି ସଠିକ୍ ସମୟରେ ସଠିକ୍ ପରିମାଣର ବର୍ଷା ନହୁଏ ତେବେ, ଧାନ ଚାଷ ଉଜୁଡ଼ିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।