କନକ ବ୍ୟୁରୋ : ରାଜରାସ୍ତାକୁ ଓହ୍ଲାଇଲେ ପାଚିକା ମହାସଂଘ । ଲୋୟର ପିଏମଜିରେ ନିଖିଲ ଓଡିଶା ମଧ୍ୟାହ୍ନଭୋଜନ ପାଚିକା ମହାସଂଘଙ୍କ ରଣହୁଙ୍କାର । ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ମାସିକ ୧୩,୫୦୦ ଟଙ୍କା ପାରିଶ୍ରମିକ ଦେବାକୁ ଦାବି କରିଛି ସଂଘ ।
ଶତାଧିକ ମହିଳା ହାତରେ ପୋଷ୍ଟର ଧରି ଲୋୟର ପିଏମଜିରେ ଧାରଣାକୁ ଓହ୍ଲାଇଛନ୍ତି । ଦାବି ଅନୁସାରେ ପୂର୍ବରୁ ୨୦୦୦ ମସିହାରୁ ଏକ ଶହ ଟଙ୍କାରେ କାମ କରୁଥିଲେ ଏବେ ୨୦୦୦ ଟଙ୍କା ପାରିଶ୍ରମିକ ମିଳୁଛି । ୨ହଜାର ଟଙ୍କାରେ ଗୋଟେ ପରିବାର କେମିତି ଚଳିବ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପାଚିକା ସଂଘ । ଏବଂ ମାସକୁ ୧୩,୫୦୦ ଟଙ୍କା ଦେବାକୁ ଦାବି କରିଛନ୍ତି ।
କହିଛନ୍ତି, ଖରା ବର୍ଷାରେ ନିଆଁ ପାଖରେ ବସି କାମ କରୁଛୁ । ଜଣେ ଲୋକ ମୁଲ ଲାଗିବାକୁ ଗଲେ ଦିନକୁ ୪୦୦ରୁ ୫୦୦ ଟଙ୍କା ଆଣୁଛନ୍ତି କିନ୍ତୁ ଆମେ ଦିନକୁ ୪୦ରୁ ୫୦ ଟଙ୍କା ବି ପାଉନୁ । ଏତିକି ଟଙ୍କାରେ ଜଣେ ଲୋକ କେମିତି କାମ କରିବ । ଆମର ପାରିଶ୍ରମିକ ବଢାଅ ବୋଲି ସରକାରଙ୍କ ପାଖରେ ଦାବି କରିଛନ୍ତି । ପାରିଶ୍ରମିକ ନବଢିଲେ ରୋଷେଇ କରିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପାଚିକା ମାହାସଂଘ ।
ସେପଟେ ବିଜେଡି ନେତା ପ୍ରଫୁଲ୍ଲ ସାମଲ, ଆନ୍ଦୋଳନକୁ ସମର୍ଥନ କରିବା ସହ କହିଛନ୍ତି, ପୂର୍ବ ସରକାର ପାଚିକା ମାଆମାନଙ୍କ ଦୁଃଖ ବୁଝୁଥିଲେ । ୨୦୦ଟଙ୍କାରୁ ବଢାଇ ବଢାଇ ୨୦୦୦ ଟଙ୍କା ଯାଏଁ ଆଣିଛନ୍ତି । ତେଣୁ ବର୍ତ୍ତମାନର ସରକାର ମାଆଙ୍କ ଦୁଃଖ ଶୁଣନ୍ତୁ ବୋଲି ଦାବି କରିଛନ୍ତି ।