କନକ ବ୍ୟୁରୋ: ସ୍ମାର୍ଟ ସିଟିର ଦୁର୍ବଳ ସ୍ୱାସ୍ଥ୍ୟସେବା। ରାଉରକେଲା ଆରଜିଏଚରେ ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ବସା ଯାଇଥିବା ଅକ୍ସିଜେନ ପ୍ଲାଣ୍ଟ ଏବେ ଖତ ଖାଉଛି। ୩ଟି ପ୍ଲାଣ୍ଟରୁ ୨ଟି କାମ କରୁନି। ହେଲେ ମୋଟା ଅଙ୍କର ଟଙ୍କା ଦେଇ ଘରୋଇ କମ୍ପାନୀଠୁ ଅକ୍ସିଜେନ କିଣୁଛି ହସ୍ପିଟାଲ। ଦୀର୍ଘଦିନ ବନ୍ଦ ପଡ଼ିଥିବା ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ ନ କରି କାହିଁକି କିଣା ଯାଉଛି ଅକ୍ସିଜେନ୍‌? ଏହା ପଛରେ ଦୁର୍ନୀତିର ଗନ୍ଧ ଆସୁଛି ।

Advertisment
  • ଜୀବନ ଖୋଜୁଛି ଅକ୍ସିଜେନ୍‌ ପ୍ଲାଣ୍ଟ
  • ବାଜିରେ ଲାଗିଛି ରୋଗୀଙ୍କ ଜୀବନ

ଜୀବନ ବଞ୍ଚାଉଥିବା ଅକ୍ସିଜେନ୍‌ ପ୍ଲାଣ୍ଟ ଆଜି ନିଜେ ଜୀବନ ଖୋଜୁଛି । ରାଉରକେଲା ସରକାରୀ ଡାକ୍ତରଖାନା ଅକ୍ସିଜନ ପ୍ଲାଣ୍ଟର ୩ଟି ପ୍ଲାଣ୍ଟରୁ ଦୁଇଟି ଅଚଳ। ଲକ୍ଷାଧିକ ଟଙ୍କାରେ କିଣା ହୋଇଥିବା ପ୍ଲାଣ୍ଟ ଏବେ ଖତ ଗଦା ପାଲଟିଛି। ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ି ରହିଥିବାରୁ ଯନ୍ତ୍ରାଂଶ ଖରାପ ହୋଇ ଗଲାଣି। ସେପଟେ ପ୍ଲାଣ୍ଟ ବନ୍ଦ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏଠି ପ୍ରଶ୍ନ ଉଠୁଛି, କାହା ସ୍ୱାର୍ଥ ପାଇଁ ବସାଯାଇଥିଲା ପ୍ଲାଣ୍ଟ? ନିଜସ୍ୱ ଅକ୍ସିଜେନ୍‌ ପ୍ଲାଣ୍ଟ ଥାଉ ଥାଉ କାହିଁକି ଘରୋଇ କମ୍ପାନିଠୁ ଅକ୍ସିଜେନ୍‌ କିଣା ଯାଉଛି? କ’ଣ କମ୍ପାନିଠାରୁ ମୋଟା ଅଙ୍କର କମିଶନ ପାଇଁ ହସ୍ପିଟାଲ କତ୍ତୃପକ୍ଷ ଅକ୍ସିଜେନ୍ କିଣୁଛନ୍ତି? 

  • କାହା ସ୍ୱାର୍ଥ ପାଇଁ କିଣାଯାଉଛି ଅକ୍ସିଜେନ୍‌?
  • ପ୍ଲାଣ୍ଟ ମରାମତିରେ କେଉଁଠି ରହୁଛି ଅସୁବିଧା?

କରୋନା ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅକ୍ସିଜେନ୍‌ ଅଭାବ ଦୂର କରିବାକୁ ରାଉରକେଲା ସରକାରୀ ହସ୍ପିଟାଲ ପରିସରରେ ୨ଟି ଅକ୍ସିଜେନ୍‌ ପ୍ଲାଣ୍ଟ ବସାଇଥିଲେ, ପରେ ଏକ ଘରୋଇ କମ୍ପାନୀ ପ୍ଲାଣ୍ଟ ବସାଇଥିଲା । ହେଲେ ୩ଟି ରୁ ଏବେ କେବଳ ଗୋଟିଏ କାମ କରୁଛି । ଘରୋଇ କମ୍ପାନୀକୁ ଅକ୍ସିଜେନ୍‌ ପାଇଁ ମାସକୁ ୧ ଲକ୍ଷ ୭୧ ହଜାର ଟଙ୍କା ଗଣୁଛନ୍ତି  ମେଡିକାଲ କର୍ତ୍ତୃପକ୍ଷ। ତେବେ ଖୁବଶୀଘ୍ର ଅକ୍ସିଜେନ ପ୍ଲାଣ୍ଟ ମରାମତି ହୋଇ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।