କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ମାନବିକତା ଶବ୍ଦର ଯେମିତି ମୂଲ୍ୟ ହିଁ ନାହିଁ । କେବଳ କିଛି ସହୃଦୟ ବ୍ୟକ୍ତିଙ୍କ ବଦାନ୍ୟତା ହିଁ ସମାଜକୁ ବଞ୍ଚାଇ ରଖିଛି । ନହେଲେ କେବେଠାରୁ ସମାଜରେ ଅରାଜକତା ବ୍ୟାପି ଯାଆନ୍ତା’ଣି । ଏଭଳି କହିବାର କାରଣ ହେଉଛି ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ମଣିଷ ଉପରୁ ବିଶ୍ବାସ ହଟିବାକୁ ଲାଗୁଛି । ମୁଣ୍ଡ ତଳକୁ ନଇଁଯାଉଛି , ମାନବିକତାର ଗଳା ଚିପି ଦେଲା ଭଳି ପ୍ରତୀତ ହେଉଛି । ଘଟଣାଟି ମଧ୍ୟପ୍ରଦେଶ ଆଗରର ମାଲୱା ଜିଲ୍ଲାର ବୋଲି ଜଣାପଡ଼ିଛି । ଜଣେ କର୍ମଚାରୀ ଦୋକାନରେ କାମ କରୁଥିବା ବେଳେ ହଠାତ ତାଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହେଲା । ସେହି ସମୟରେ ସେ ହୃଦଘାତର ଶିକାର ହୋଇଥିଲେ । କାମ କରୁଥିବା ବେଳେ ମଝିରୁ ଆସି ସେ ଚେୟାରରେ ବସିଥିଲେ କିନ୍ତୁ ଠିକ୍ ସମୟରେ ଚିକିତ୍ସା ନ ହୋଇପାରିବାରୁ ତାଙ୍କ ଜୀବନ ଚାଲି ଯାଇଥିଲା । ଯଦି ଠିକ୍ ସମୟରେ ତାଙ୍କୁ ଡାକ୍ତରଖାନା ନିଆଯାଇଥା’ନ୍ତା, ତେବେ ସେ ବଞ୍ଚି ଯାଇଥା’ନ୍ତେ । 

Advertisment

ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ତେବେ ଆପଣ ଭାବୁଥିବେ ଏଥିରେ ମାନବିକତା ଉପରେ ପ୍ରଶ୍ନ କୁଆଡ଼ୁ ଆସିଲା ? ତାହେଲେ ଆମେ ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଯେଉଁ ଶ୍ରମିକ ଛଟପଟ ହୋଇ ନିଜ ଜୀବନ ହାରିଲେ ତାଙ୍କ ଜୀବନ ବଞ୍ଚିଯାଇଥା’ନ୍ତା ଯଦି ମାଲିକ ଚେୟାରରୁ ଉଠି ତାଙ୍କୁ ହସ୍ପିଟାଲ୍ ନେଇ ଯାଇଥା’ନ୍ତେ । କିନ୍ତୁ ମାଲିକ ଚେୟାର୍ ଉପରେ ବସି ମୋବାଇଲ୍ ଟିପିବାରେ ବ୍ୟସ୍ତ ଥିଲେ । ଶ୍ରମିକଙ୍କ ଏଭଳି ଅବସ୍ଥା ଦେଖିବା ପରେ ବି ତାଙ୍କ ବିବେକ ତାଙ୍କୁ ଚେୟାରରୁ ଉଠିବାକୁ ବାଧ୍ୟ କରିନଥିଲା । ଆଖପାଖରେ ଥିବା ଅନ୍ୟ ଶ୍ରମିକ ଉକ୍ତ କର୍ମଚାରୀଙ୍କ ପାଖକୁ ଆସିଥିଲେ ହେଁ ମାଲିକ କେବଳ ଦୂରରୁ ବସି ଛଟପଟ ହେଉଥିବା ବ୍ୟକ୍ତିଙ୍କୁ ଦେଖୁଥିଲେ । ଆଉ ଯନ୍ତ୍ରଣାରେ ଛଟପଟ ହୋଇ ଆଖି ଆଗରେ ହିଁ ଚାଲିଯାଇଥିଲା ଶ୍ରମିକଙ୍କ ଜୀବନ । ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଏଇଠି ମାନବିକତା ସହିତ ମଣିଷର ବିବେକହୀନତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାର୍ଯ୍ୟକ୍ଷେତ୍ରରେ ଦାୟିତ୍ବ ଭାର ହେଉ କି ଅନ୍ୟ କୌଣସି କାରଣରୁ ମଣିଷ ଧିରେ ଧିରେ ଭଲରେ ନିଶ୍ବାସ ନେବା ବି ଭୁଲିଗଲାଣି । କାମ ବାହାର କରିବା ଉଦ୍ଦେଶ୍ୟରେ ମାଲିକ ତଥା ଅଫିସର କର୍ମଚାରୀଙ୍କୁ ମେସିନ୍ ପରି ବ୍ୟବହାର କରୁଛନ୍ତି କିନ୍ତୁ କରୁଣାଭାବର କଥା ଯଦି କହିବା ତାହେଲେ ଶୂନ ପ୍ରତିକ୍ରିୟା । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ୬ ମିନିଟର ଭିଡିଓ ହିଁ କହୁଛି ପଦବୀରେ ବସିପଡ଼ିଲେ କେହି ହୃଦୟରୁ ବଡ଼ ହୁଅନ୍ତି ନାହିଁ । ସହକର୍ମୀଙ୍କ ଏଭଳି ଅବସ୍ଥା ଦେଖି ଯେଉଁଠି ସାଥୀ କର୍ମଚାରୀମାନେ ଆସି ପାଣି ଦେଇ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ମାଲିକ ପାଖ ଚେୟାରରେ ବସି କେତେବେଳେ ଫୋନକୁ ତ କେତେବେଳେ ବ୍ୟକ୍ତିଙ୍କୁ ଦେଖୁଥିଲେ । ପ୍ରାଥମିକ ଚିକିତ୍ସା ତ ଦୂରର କଥା ହାତରେ ଫୋନ୍ ଥାଇ ବି ଆମ୍ବୁଲାନ୍ସକୁ ଡାକି ନଥିଲେ । ମାତ୍ର ୧୦ ମିନିଟ୍ ଭିତରେ ଛାଟିପିଟି ହୋଇ ଶ୍ରମିକର ତ ଜୀବନ ଯାଇଥିଲା କିନ୍ତୁ ତା’ ସହିତ ମରିଯାଇଥିଲା ମାଲିକର ବିବେକ ।