କନକ ବ୍ୟୁରୋ: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଯାତ୍ରା ବିବାଦ, କଳାକାର ଓ ମାଲିକ ସଂଘ ମଧ୍ୟରେ ଚାଲିଛି ତୁ ତୁ...ମେଁ ମେଁ। ନରି ପଣ୍ଡା, ପ୍ରତାପ ମହାନ୍ତିଙ୍କୁ ବ୍ୟାନ ଓ ନମିତା ଭୂୟାଁକୁ କାରଣ ଦର୍ଶାଅ ନୋଟିସ ପରେ ମଞ୍ଚକୁ ନଉଠିବାକୁ କଳାକାର ସଂଘର ଅଲ୍ଟିମେଟମ ଦଇଥିଲା। ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ଯାତ୍ରା ମାଲିକ। କିଛି କଳାକାର ମିଶି ହଜାର ହଜାର ନିରୀହ କଳାକାରଙ୍କ ଦାନାରେ ଧୂଳି ଦେଉଛନ୍ତି। ସତସାହସ ଥିଲେ କଳାକାର ଯାତ୍ରାପାର୍ଟିକୁ ବନ୍ଦ କରି ଦେଖାନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ପାର୍ବତୀ ଗଣନାଟ୍ୟ ମାଲିକ ପବିତ୍ର ପାତ୍ର ।
ନରି, ନମିତା ଓ ପ୍ରତାପଙ୍କୁ ନ୍ୟାୟ ନମିଳିବା ଯାଏଁ ଯାତ୍ରା ବନ୍ଦ ନିଷ୍ପତ୍ତିରେ ଅଟଳ ଯାତ୍ରା କଳାକାର ସଂଘ । ମାଡ଼ ମରାଯିବା ଘଟଣାରେ ଉପଯୁକ୍ତ ତଦନ୍ତ କରିବା ସହ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନହେଲେ ପୋଲିସ ଡିଜି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବୁ ବୋଲି କହିଛନ୍ତି ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା । ଗତ କିଛିଦିନ ହେବ ଯାତ୍ରା କନ୍ଦଳକୁ ନେଇ ଉଠୁଛି ପଡୁଛି ଓଡ଼ିଶା । ଏବେ ପ୍ରଶ୍ନ, ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ କାହିଁକି ଏହି ମୁକାବିଲାମୂଳକ ପରିସ୍ଥିତି? ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଛି କି ଅହଙ୍କାରର ଲଢ଼େଇ? ବିବାଦର ସମାଧାନ ପାଇଁ ଆଗେଇ ଆସିବ କି ସଂସ୍କୃତି ବିଭାଗ? ଯାତ୍ରାକୁ ନେଇ କେବେ ଆସିବ ସରକାରଙ୍କ ମାର୍ଗଦର୍ଶିକା ?