କନକ ବ୍ୟୁରୋ : ଯନ୍ତ୍ରୀଙ୍କ ଘରେ ରାତିସାରା ରେଡ। ରାୟଗଡ଼ା ବ୍ଲକ କାଶିପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଫରେଷ୍ଟ କଲୋନୀ ସ୍ଥିତ ବାସଭବନରେ ରାତି ତମାମ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ତାଙ୍କ ଘରୁ ମିଳିଛି ନଗଦ ୧୪ଲକ୍ଷ ଟଙ୍କା ସହ ୨୫ଭରି ସୁନା । ଏହାସହ ପତ୍ନୀଙ୍କ ନାଁରେ ୪ଟି ପ୍ଲଟ ଓ ଦୁଇ ମହଲା କୋଠା ରହିଥିବା ସୂଚନା ମିଳିଛି । ଏହି ଚଢ଼ାଉ ଭୋର ୩ ଟା ପର୍ୟ୍ୟନ୍ତ ଚାଲିଥିଲା । 

ତେବେ ଏହି ଚଢ଼ାଉ ସମୟରେ ତାଙ୍କ ବାସଭବନରୁ ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା, ୨୫ ଭରି ସୁନା ମିଳିଛି । ଟିକିରିରେ ୩ ମହଲା ଫ୍ଲାଟ ରହିଛି ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହବ । ରାୟଗଡାରେ ସ୍ତ୍ରୀଙ୍କ ନାଁରେ ୪ଟି ପ୍ଲଟ, ୨ ଚକିଆ ଦୁଇଟି ଓ ୪ ଚକିଆ ଦୁଇଟି ଗାଡି ଭିଜିଲାନ୍ସ ବିଭାଗକୁ ମିଳିଛି । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀଙ୍କୁ ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗ ଲାଞ୍ଚ ନେବା ମାମଲାରେ ଗିରଫ କରିଛି । ସେ ରାୟଗଡ଼ା ସହରର ଡିଏଫଓ କଲୋନୀରେ ଥିବା ନିଜ ବାସଭବନରେ ଠିକାଦାର କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ। ଏମଜିଏନଆରଜିଏ କାମ ବାବଦରେ ବିଲ କରାଇଦେବା କହି ଟଙ୍କା ମାଗିଥିଲେ। ଏହାପରେ ଠିକାଦାର ଜୟପୁର ଭିଜିଲାନ୍ସର ଦ୍ୱାରାସ୍ତ ହୋଇଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ବାସଭବନରେ ଠିକାଦାରଙ୍କ ଠାରୁ ୨୫ ହଜାର ଟଙ୍କା ନେଉଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଥିଲେ। ଏହି ଚଢ଼ାଉ ସମୟରେ ଜୟପୁର ଭିଜିଲାନ୍ସ ବିଭାଗର ଅରୁଣ ସାହୁଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ ସାମିଲ ହୋଇଥିଲେ। ଭିଜିଲାନ୍ସ ବିଭାଗ ଗିରଫ କରିବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା ।