କନକ ବ୍ୟୁରୋ: ଓଭରଲୋଡ୍‌  କରି ହେଉଛି ପରିବହନ । ଗୋରୁ ଗାଈ ଭଳି ଯାତ୍ରୀଙ୍କୁ ନେଇ ଯାଉଛନ୍ତି ଗାଡ଼ି ମାଲିକ । ବୋଲ ମାନୁନାହାନ୍ତି ବସ୍ ଚାଳକ । ବସ୍‌ର ଗୋଟିଏ ବର୍ଥରେ ବସିଛନ୍ତି ୩ ଶ୍ରମିକ । ଡବଲ ବର୍ଥରେ ୪ରୁ ୫ । ପ୍ରତିଦିନ ଏମିତି ଦାଦନ ଶ୍ରମିକଙ୍କ ଜୀବନକୁ ବାଜିରେ ଲଗାଇ ଯାତ୍ରୀ ପରିବହନ କରୁଛନ୍ତି ବସ୍‌ ମାଲିକ । ବିଶେଷ କରି କଳାହାଣ୍ଡି, ନୂଆପଡ଼ାରୁ ନେଇ ମାଲକାନଗିରି ଯାଏଁ, ପ୍ରତିଦିନ ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନାକୁ ହଜାର ହଜାର ଶ୍ରମିକ କାମ ଧନ୍ଦା ଲାଗି ଯାଆନ୍ତି । ଆଉ ନିରୀହ ଶ୍ରମିକଙ୍କ ଅସହାୟତାର ସୁଯୋଗ ନେଇ ଯାତ୍ରୀ ପରିବହନ ସହ ଭଡ଼ା ଆଦାୟ ମଧ୍ୟ କରୁଛନ୍ତି ବସ୍‌ ମାଲିକ ।

Advertisment

ବାରମ୍ବାର ଦୁର୍ଘଟଣା, ଧରପଗଡ଼ ପରେ ବି କୌଣସି ପ୍ରଭାବ ପଡୁନି । ବେପରୁଆ ଶ୍ରମିକ ପରିବହନ ଯୋଗୁ ବାରମ୍ବାର ଘଟୁଛି ଦୁର୍ଘଟଣା । ୨୦୨୫ ଜାନୁଆରି ୧୦ରେ ବସ୍‌ ଦୁର୍ଘଟଣାରେ ନୂଆପଡା ଅଞ୍ଚଳର ୫ ଶ୍ରମିକ ମୃତ, ୧୭ ଗୁରୁତର ହୋଇଥିଲେ । ୨୦୨୫ ଜାନୁଆରି ୧୨ରେ ତେଲେଙ୍ଗାନା ନିଜେର୍ଲା ଦୁର୍ଘଟଣା ଓଡ଼ିଶାର ବହୁ ଯାତ୍ରୀ ଆହତ ହୋଇଥିଲେ । ଏ ନେଇ ବସ୍‌ ମାଲିକ ସଙ୍ଘଙ୍କୁ ପରିବହନ ବିଭାଗ ତାଗିଦ କରିଥିଲେ ବି କୌଣସି ପ୍ରଭାବ ପଡୁନି ।

ପରିବହନ ବିଭାଗର କାର୍ଯ୍ୟାନୁଷ୍ଠାନ ଯେମିତି ଧର୍ମକୁ ଆଖି ଠାର । ଏନେଇ ଖବର ପ୍ରସାରଣ ପରେ ପରିବହନ ବିଭାଗ ପକ୍ଷରୁ କିଛି ବସ୍‌ ମାଲିକଙ୍କୁ ଅଟକାଇ ତଣ୍ଡ ଆଦାୟ କରିଛି ସତ, ତଥାପି ଆଇନ କାନୁନ୍‌କୁ ଫୁ କରି ଏମିତି ଶ୍ରମିକଙ୍କ ଜୀବନ ସହ ଚାଲିଛି ରୀତିମତ ଖେଳ ।