କନକ ବ୍ୟୁରୋ : କଅଁଳ ବୟସ...ଗୁଲୁ କଥା , ଆଉ ବେଶି ଶୁଣିବାକୁ ମିଳୁନି । କାରଣ ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ କୁନି କୁନି ଶିଶୁମାନଙ୍କୁ କଅଁଳ ବୟସରୁ ହିଁ ସ୍କୁଲ୍କୁ ପଠାଉଛନ୍ତି ମାତା ପିତା । ହଜିଯାଉଛି ସେମାନଙ୍କ ପିଲାଳିଆମୀ , ମରିଯାଉଛି ଶିଶୁମାନଙ୍କ ହସ ଖୁସି । ନିଦ ମଳ ମଳ ଆଖିରେ ଗୋଟିଏ ଛୋଟ ପିଲାଟି ଭାରି ବ୍ୟାଗ୍କୁ କାନ୍ଧରେ ପକାଇ ସକାଳ ୬ରୁ ସ୍କୁଲ ଯିବ । କେବେ ଖାଇବା ଖାଇ ତ କେବେ ଖାଲି ପେଟରେ । ଆଉ ତା'ପରେ ଦିନ ତମାମ ପାଠପଢ଼ାର ଚାପ । କଥା ଏତିକିରେ ସରେ ନାହିଁ । ସ୍କୁଲରୁ ଫେରିବା ପରେ ଖେଳକୁଦ ପାଇଁ ସମୟ କାହିଁ ? କାରଣ ଅପେକ୍ଷା କରିଥାଏ ଟ୍ୟୁସନ କ୍ଲାସ୍ । ପୁଣି ସେଠି ସେଇ ପାଠପଢ଼ା , ସନ୍ଧ୍ୟାରେ ଘରକୁ ଫେରିଲେ କୌଣସି ହବି କ୍ଲାସ୍, ଯେମିତିକି ଡ୍ୟାନ୍ସ, ଗୀତ, ଚିତ୍ରାଙ୍କନ କିମ୍ବା କରାଟେ କ୍ଲାସକୁ ଯିବାର ଥାଏ । ସକାଳ ୬ରୁ ଆରମ୍ଭ ହୋଇଥିବା ପିଲାଟିର ଦିନ ସନ୍ଧ୍ୟାରେ ସରେ । ଘରକୁ ଫେରିବା ପରେ ପୁଣି ହୋମ୍ୱାର୍କର ଚିନ୍ତା ଏବଂ ଏହାପରେ ରାତ୍ରୀ ଭୋଜନ କରି ଶୋଇପଡ଼େ ଦିନଯାକର ବୋଝରେ ଥକ୍କି ପଡ଼ିଥିବା ପିଲାଟି । ଆଉ ମନଭରି ଖେଳକୁଦ କରିବାକୁ ନା ଥାଏ ତା ପାଖରେ ସମୟ ନା ମନ । କାରଣ ପାଠର ପ୍ରେସରରେ ଥକ୍କି ଯାଇଥାଏ ସେହି କୁନି ପିଲାଟି ।
ଏହି ପ୍ରତିଯୋଗିତାମୂଳକ ଦୁନିଆରେ, ପ୍ରତ୍ୟେକ ଅଭିଭାବକ ଚାହୁଛନ୍ତି ତାଙ୍କ ପିଲା ସବୁଥିରେ ଆଗୁଆ ରହୁ । ଜଣେ "ଅଲରାଉଣ୍ଡର" ହେଉ । କିନ୍ତୁ ଏହି "ଅଲରାଉଣ୍ଡର" ସଜେଇବାର ଦୌଡ଼ରେ ଆମେ କେଉଁଠି ନା କେଉଁଠି ପିଲାମାନଙ୍କଠାରୁ ସେମାନଙ୍କର ସୁନେଲି ପିଲାଦିନ ଛଡ଼ାଇ ନେଉଛେ । ଯେଉଁ ବୟସରେ ସେମାନେ ମାଟିରେ ଖେଳିବା, ସାଙ୍ଗସାଥୀଙ୍କ ସହ ମିଶି ଦୁଷ୍ଟାମି କରିବା, ଆଈ ମା ’ କାହାଣୀ ପେଡ଼ୀ ଦୁନିଆରେ ହଜିଯିବା କଥା, ସେହି ବୟସରେ ସେମାନେ ଏକ ନିର୍ଦ୍ଧାରିତ ରୁଟିନ୍ରେ ବନ୍ଧା ହୋଇ ରହୁଛନ୍ତି ।
ଏହାର ପରିଣାମ ସ୍ୱରୂପ, ପିଲାମାନଙ୍କ ମଧ୍ୟରେ ମାନସିକ ଚାପ, ଏକାକୀପଣ ଏବଂ ଚିଡ଼ଚିଡ଼ାପଣ ବଢ଼ିବାରେ ଲାଗିଛି । ଖୋଲା ପଡ଼ିଆରେ ଖେଳିବା ବଦଳରେ ସେମାନଙ୍କର ଅଧିକାଂଶ ସମୟ ଚାରି କାନ୍ଥ ଭିତରେ କଟୁଛି । ଏହା ସେମାନଙ୍କ ଶାରୀରିକ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି କରୁଛି । ସେମାନଙ୍କର ସୃଜନଶୀଳତା ଲୋପ ପାଉଛି, କାରଣ ନିଜ ପାଇଁ ଚିନ୍ତା କରିବାକୁ ବା କିଛି ନୂଆ କଳ୍ପନା କରିବାକୁ ସେମାନଙ୍କ ପାଖରେ ସମୟ ହିଁ ନାହିଁ । ଶିକ୍ଷକ ଏବଂ କାଉନ୍ସିଲରମାନେ ଏବେ ଦାବି କରୁଛନ୍ତି ଯେ ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ମଧ୍ୟ ସାମାଜିକ ଚିନ୍ତା, ଚିଡ଼ିଚିଡ଼ା ଏବଂ ମାନସିକ ଥକ୍କାପଣ ବୃଦ୍ଧି ପାଉଛି । ଦିଲ୍ଲୀର ଜଣେ ସ୍କୁଲ କାଉନ୍ସିଲର କହିଛନ୍ତି ଯେ ଅନେକ ପିଲା ସ୍କୁଲ୍ର ବ୍ରେକ୍ ସମୟରେ କେବଳ ଶୋଇବାକୁ ଚାହୁଛନ୍ତି ଏବଂ ଏକା ରହିବାକୁ ଚାହୁଛନ୍ତି।
ଏବେ ସମୟ ଆସିଛି, ଆମକୁ ଗଭୀର ଭାବରେ ଚିନ୍ତା କରିବାକୁ ପଡ଼ିବ । ପାଠପଢ଼ା ଓ କ୍ୟାରିୟର ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତା'ଠାରୁ ଅଧିକ ମୂଲ୍ୟବାନ ହେଉଛି ପିଲାଟିର ହସଭରା ପିଲାଦିନ । ଆସନ୍ତୁ ସେମାନଙ୍କୁ ଏକ ସୁସ୍ଥ ପରିବେଶ ଦେବା, ଯେଉଁଠି ପାଠପଢ଼ା ସହିତ ଖେଳକୁଦ ଏବଂ ମନୋରଞ୍ଜନ ପାଇଁ ମଧ୍ୟ ସମୟ ଥିବ । ନଚେତ୍ ଆମେ ଏପରି ଏକ ପିଢ଼ି ତିଆରି କରିବା, ଯେଉଁମାନେ ଶିକ୍ଷିତ ତ ହେବେ, କିନ୍ତୁ ନିଜ ପିଲାଦିନର ମଧୁର ସ୍ମୃତିକୁ ସବୁଦିନ ପାଇଁ ହରାଇ ସାରିଥିବେ ।