କନକ ବ୍ୟୁରୋ: ଅର୍ଦ୍ଧସାମରିକ ବଳରେ ଫାଙ୍କା ପଡ଼ିଛି ଏକ ଲକ୍ଷରୁ ଅଧିକ ପଦ । ଲୋକସଭାରେ ଗୃହ ମନ୍ତ୍ରାଳୟର ତଥ୍ୟକୁ ନେଇ ଆଲୋଚନା ବଢିଛି । ରାଜ୍ୟସଭା ସାଂସଦ ଡେରେକ ଓବ୍ରାଇନଙ୍କ ପ୍ରଶ୍ନର ଉତ୍ତର ରଖି ଲୋକସଭାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଦେଶରେ ୬ ଅର୍ଦ୍ଧସାମରିକ ବଳରେ ଖାଲି ପଡିଛି ଏକ ଲକ୍ଷ ୯ ହଜାର ୮୬୮ ପଦ, ଯାହାକି ୨୦୨୧ ମସିହା ପରଠୁ ଖାଲି ପଡିଥିବା ପଦବୀ ସଂଖ୍ୟାରେ ସର୍ବାଧିକ ।
ସରକାରୀ ତଥ୍ୟ ଅନୁସାରେ, ସିଆଇଏସଏଫରେ ସର୍ବାଧିକ ୪୩ହଜାର ୨୫୦ପଦ, CRPFରେ ୩୪ହଜାର ୮୬୯, ITBPରେ ୧୫ ହଜାର ୩୫ ପଦ, ଆସାମ ରାଇଫଲ୍ସରେ ୩ ହଜାର ୭୯୧, BSFରେ ୧୪ହଜାର ୪୬୭, SSBରେ ଖାଲି ପଡ଼ିଛି ୭ହଜାର ୮୫୯ ପଦ । ଶେଷ ଥର ପାଇଁ ୨୦୨୧ମସିହାରେ ୧ଲକ୍ଷ ୯ହଜାର ୧୭୪ପଦ ଖାଲି ପଡ଼ିଥିଲା । ୨୦୨୨ରେ ୬୮ହଜାର ୬୭୪, ୨୦୨୩ରେ ୮୪ ହଜାର ୩୭୪ ଓ ୨୦୨୪ରେ ୬୪ ହଜାର ୮୯୭ ପଦ ଖାଲି ରହିଥିଲା ।
ଗୃହରେ ଏନେଇ ତଥ୍ୟ ରଖିବା ସହ ନିତ୍ୟାନନ୍ଦ ରାୟ କହିଛନ୍ତି, ଖାଲି ପଦବୀ ପୂରଣ କରିବା ଏକ ନିରନ୍ତର ପ୍ରକ୍ରିୟା ଓ ମନ୍ତ୍ରାଳୟ ଏନେଇ ପଦକ୍ଷେପ ନେଉଛି । ସେ ଆହୁରି କହିଛନ୍ତି, CPFଓ ଆସାମ ରାଇଫଲ୍ସରେ ଅବସର, ଇସ୍ତଫା, ପଦୋନ୍ନତି, ମୃତ୍ୟୁ, ନୂତନ ବାଟାଲିୟନ ଓ ପଦବୀ ସୃଷ୍ଟି ଆଦି କାରଣରୁ ପଦ ଖାଲି ହେଉଛି । ନିଯୁକ୍ତିକୁ ତ୍ବରାନ୍ୱିତ କରିବା ପାଇଁ ଡାକ୍ତରୀ ପରୀକ୍ଷାର ସମୟ ସୀମାକୁ କମ କରାଯାଇଛି । ପର୍ଯ୍ୟାପ୍ତ ସଂଖ୍ୟକ ପ୍ରାର୍ଥୀଙ୍କୁ ସୁନିଶ୍ଚିତ କରିବା ପାଇଁ ପ୍ରାର୍ଥୀଙ୍କ ସଂକ୍ଷିପ୍ତ ତାଲିକା ପାଇଁ କଟ୍-ଅଫ ମାର୍କ ହ୍ରାସ କରାଯାଇଛି । ମୁଖ୍ୟତଃ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ଆଇନ ଶୃଙ୍ଖଳା ସମସ୍ୟା, ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ । କିନ୍ତୁ ଏହିସବୁ ଅର୍ଦ୍ଧସାମରିକ ବଳରେ ଏତେ ସଂଖ୍ୟକ ପଦ ଖାଲି ପଡ଼ିବା ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଚିନ୍ତାଜନକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/24/10-paramilitary-2025-07-24-08-26-50.jpg)