କନକ ବ୍ୟୁରୋ : ବ୍ରହ୍ମପୁର ସହର । ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର । ବେପାର ବାଣିଜ୍ୟିକ ଓ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ଜିଲ୍ଲା ସମେତ ଆନ୍ଧ୍ରରୁ ହଜାର ହଜାର ଲୋକ ଯିବା ଆସିବା କରନ୍ତି । ସହରରେ ସ୍ୱଚ୍ଛତା ବଜାଇ ରଖିବା ସହ ଖୋଲା ଶୌଚକୁ ବନ୍ଦ କରିବା ଉଦେଶ୍ୟରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନା ଅନୁଦାନରେ ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ କରାଯାଇଛି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଶୌଚାଳୟ ଗୁଡିକ ଏବେ ଦୟନୀୟ ସ୍ଥିତିରେ । ଅପରିସ୍କାର ଓ ଦୁର୍ଗନ୍ଧ ହେଉଥିବାରୁ ସେଠାରେ ଶୌଚ ପାଇଁ ଯାଉନାହାନ୍ତି ବାଟୋଇ ।
ପରିବେଶ ସ୍ୱଚ୍ଛ ରଖିବା ସହ ସହରକୁ ସୁନ୍ଦର କରିବା ପାଇଁ ୨୦୧୫-୧୬ରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନାରେ ତତ୍କାଳୀନ ରାଜ୍ୟ ସରକାରଙ୍କୁ ଅନୁଦାନ ଦେଇଥିଲେ କେନ୍ଦ୍ର ସରକାର । ବ୍ରହ୍ମପୁର ମହାନଗର ନିଗମକୁ ପର୍ଯ୍ୟାୟକ୍ରମେ କୋଟିଏରୁ ଅଧିକ ଟଙ୍କା ମିଳିଥିଲା । ପ୍ରଥମେ ୨୩ଟି ଶୌଚାଳୟ ନିର୍ମାଣ ହୋଇଥିଲା । ଏବେ ଏହି ସଂଖ୍ୟା ୬୨ରେ ପହଞ୍ଚିଛି । ଆଉ ୮ଟି ନିର୍ମାଣ ଲାଗି ପ୍ରସ୍ତାବ ରହିଛି । ହେଲେ ପାଣି ଓ ସଫେଇ କର୍ମଚାରୀଙ୍କ ଅଭାବ ଯୋଗୁଁ ବ୍ୟବହାର ନହୋଇ ଶୌଚାଳୟ ଗୁଡିକରେ ତାଲା ପଡିଛି । ଲୋକ ଅନ୍ୟ ଉପାୟ ନପାଇ ରାସ୍ତା କଡ଼ରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଅଭିଯୋଗର ତଦନ୍ତ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ।
୨୨ଟି ଶୌଚାଳୟ ପରିଚାଳନା ଦାୟିତ୍ୱ ସୁଲଭ ଇଣ୍ଟରନ୍ୟାସନାଲ ସୋସିଆଲ ସର୍ଭିସ ନେଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ରହିଛି ୪୦ଟି ଶୌଚାଳୟ ଦାୟିତ୍ଵ । ଦିନେ ସ୍ମାର୍ଟ ସିଟି ଦୌଡ଼ରେ ଥିବା ବ୍ରହ୍ମପୁର ମହାନଗର ନିଗମର ଏଭଳି ଅବସ୍ଥାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।