କନକ ବ୍ୟୁରୋ: ଆପଣ ଯଦି ଅଯୋଗ୍ୟ ହେଇ ବି ରାସନ୍ କାର୍ଡରେ ଚାଉଳ ପାଉଛନ୍ତି, ତେବେ ସାବଧାନ୍ । ଆପଣଙ୍କ ଉପରେ କୌଣସି ବି ମୁହୂର୍ତ୍ତରେ ହେଇପାରେ ଆକ୍ସନ । ଆଉ କେଉଁ ସମୟରେ ବି ଆପଣଙ୍କର କଟିଯାଇପାରେ ରାସନ୍ କାର୍ଡ । ବିଧାନସଭାରେ ରାସନ୍ କାର୍ଡ ସମ୍ପର୍କରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁଥିରେ ସେ ଅଯୋଗ୍ୟ ହିତାଧିକାରୀଙ୍କ ରାସନ୍ କାର୍ଡ କଟିବା ନେଇ ସୂଚନା ଦେଇଛନ୍ତି ।
ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ରାସନ୍ କାର୍ଡରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ସମ୍ପର୍କରେ ପ୍ରଶ୍ନ କରିଥିଲେ । କେଉଁ ଜିଲ୍ଲାରୁ କେତେ ରାସନ୍ କାର୍ଡର ଅଯୋଗ୍ୟ ହିତାଧିକାରୀ ବାଦ୍ ପଡି଼ଛନ୍ତି, ସେନେଇ ପ୍ରଶ୍ନ କରିଥିଲେ ଟଙ୍କଧର । ଆଉ ଏହି ପ୍ରଶ୍ନର ଉତ୍ତର ରଖି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ଯୋଗାଣ ମନ୍ତ୍ରୀ ।
ଯୋଗାଣ ମନ୍ତ୍ରୀଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ଗରିବା କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଲକ୍ଷେ ୮୦ ହଜାର ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ହେଲେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ଲାଗି ସରକାର ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଇ-କେଓ୍ୱାଇସି ସମୟରେ ୧ ଲକ୍ଷ ୯ ହଜାର ୮୫୩ ହିତାଧିକାରୀଙ୍କୁ ବାଦ୍ ଦିଆଯିବା ସହିତ ୩୦ ହଜାରରୁ ଅଧିକ ରାସନ୍ କାର୍ଡକୁ କଟାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ୬ ଲକ୍ଷ ୩୮ ହଜାର ମୃତ ହିତାଧିକାରୀଙ୍କୁ ମଧ୍ୟ ଯୋଜନାରେ ବାଦ୍ ଦିଆଯାଇଛି । ଏହା ବଦଳରେ ୩ ଲକ୍ଷ ୮୭ ହଜାର ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।