କନକ ବ୍ୟୁରୋ: ଥମୁନି ବୋମା ଧମକ ଆତଙ୍କ । ଦିଲ୍ଲୀ ପରେ ଆଜି ବେଙ୍ଗାଲୁରୁର ୪୦ଟି ସ୍କୁଲକୁ ମିଳିଛି ଧକମପୂର୍ଣ୍ଣ ମେଲ୍ । ଦିଲ୍ଲୀର ୨୦ରୁ ଅଧିକ ସ୍କୁଲକୁ ମେଲ୍ ଯୋଗେ ମିଳିଛି ବୋମା ଧମକ । ବେଙ୍ଗାଲୁରୁର ୪୦ ସ୍କୁଲକୁ ମଧ୍ୟ ଏଭଳି ଧକମପୂର୍ଣ୍ଣ ମେଲ୍ ମିଳିଛି । ସୂଚନା ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଏବଂ ପୁଲିସ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହିତ ବେଙ୍ଗାଲୁରୁ ସ୍କୁଲର ମଧ୍ୟ ତଦନ୍ତ ଆରମ୍ଭ କରିଛି ପୁଲିସ । ସେପଟେ ଘଟଣାକୁ ନେଇ ଆମ ଆଦମୀ ପାର୍ଟି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଗତ ଜୁଲାଇ ୧୬ ତାରିଖରେ ବି ଦିଲ୍ଲୀର ୫ ସ୍କୁଲକୁ ମିଳିଥିଲା ବୋମା ଧମକ । ବୁଧବାର ଦିଲ୍ଲୀ ୫ଟି ସ୍କୁଲକୁ ବୋମା ମାଡ଼ ନେଇ ଧମକ ମିଳିଛି । ଲଗାତାର ତିନି ଦିନ ଧରି ଜାତୀୟ ରାଜଧାନୀର ଶିକ୍ଷାନୁଷ୍ଠାନ ଗୁଡିକୁ ଧମକ ମିଳିଥିଲା । ଗତ ୩ ଦିନରେ ୧୦ଟି ସ୍କୁଲକୁ ଏଭଳି ଧମକ ମିଳିବା ପରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ସେଣ୍ଟ୍ ଥୋମାସ, ବସନ୍ତ ଭେଲି, ମଦର ଇଣ୍ଟରନ୍ୟାସନାଲ, ରିଚମୋଣ୍ଡ ଗ୍ଲୋବାଲ ଏବଂ ସର୍ଦ୍ଦାର ପଟେଲ ସ୍କୁଲକୁ ବୋମା ଧମକ ମିଳିଥିଲା । ଧମକ ମିଳିବା ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବାହାର କରିବା ସହ ସାରା ରାତି ସ୍କୁଲ ଷ୍ଟାଫ୍ ବିଦ୍ୟାଳୟ ପରିସର ଭିତରେ ଜଗି ରହିଛନ୍ତି । ବୋମା ଧମକ ମିଳିଥିବା ସ୍କୁଲଗୁଡିକରେ ବୋମା ନିଷ୍କ୍ରିୟକାରୀ ଟିମ୍, ଡଗ ସ୍କ୍ୱାଡ୍, ସାଇବର ଏକ୍ସପର୍ଟ ଟିମ୍ ସହ ଦିଲ୍ଲୀ ପୁଲିସ ସ୍କୁଲଗୁଡିକରେ ଯାଞ୍ଚ କରିଥିଲେ । ତଦନ୍ତ ପରିସରଭୁକ୍ତ ଥିବା ସ୍କୁଲଗୁଡ଼ିକର କର୍ତ୍ତୃପକ୍ଷ ଘଟଣା ଉପରେ ନଜର ରଖିଛନ୍ତି । ସେପଟେ ବାରମ୍ବାର ସ୍କୁଲଗୁଡ଼ିକକୁ ବୋମା ଧମକ ମିଳୁଥିବାରୁ ପିଲାଙ୍କ ମଧ୍ୟରେ ଭୟ ବଢ଼ିପାରେ । ପିଲାଙ୍କ ପାଠପଢ଼ାରେ ବି ବାଧା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି ।