ବନ୍ୟା ସହ ଯୁଝୁଛନ୍ତି ଲୋକେ: ଉଜୁଡିଲା ଫସଲ, ଚାଷୀ ମୁଣ୍ଡରେ ଚଡ଼କ

ସୁବର୍ଣ୍ଣରେଖ ବନ୍ୟା ଦେଇଗଲା ଦୁଃଖ । ନଦୀରୁ କମିଥିଲେ ବି ଗାଁରୁ ଛାଡିନି ପାଣି । ଭାଗ୍ୟ ସହ ଯୁଝୁଛନ୍ତି ଜଳେଶ୍ବର, ବାଲିଆପାଳ ଓ ଭୋଗରାଇ ବ୍ଲକର ହଜାର ହଜାର ଲୋକ ।

Subarnrekha River

କନକ ବ୍ୟୁରୋ: ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ବ୍ଲକର ୬୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ନଦୀରୁ ପାଣି କମିବା ପରେ ଗାଁରୁ ବନ୍ୟା ପାଣି ଧୀରେ ଧୀରେ ଛାଡୁଛି। ସମ୍ପୂର୍ଣ୍ଣ ଉଜୁଡି ଯାଇଛି ପନିପରିବା ଚାଷ । ପ୍ରତିବର୍ଷ ଏଭଳି ଘଟୁଥିଲେ ବି ପ୍ରଶାସନର ନିଘା ନାହିଁ । ବନ୍ୟା ଯୋଗୁଁ  ହଜାର ହଜାର ଲୋକେ ହନ୍ତସନ୍ତ ହେଉଛନ୍ତି । ସୁବର୍ଣ୍ଣରେଖା ନଦୀରେ ପାଣି କମୁଥିଲେ ବି ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକର ବହୁ ଗାଁରେ ଏବେ ବି ପାଣି ଛାଡିନି । ଗାଁ ଦାଣ୍ଡରେ ବନ୍ୟା ପାଣି ଚାଲୁଛି । ବାହାରକୁ ଯିବାକୁ ହେଲେ ପାଣିରେ ପଶି ଯିବାକୁ ପଡୁଛି ।  
 
ବାଲିଆପାଳ ଓ ଭୋଗରାଇ ବ୍ଲକର ଚାଷ ଜମିରୁ ଧୀରେ ଧୀରେ  ପାଣି ଛାଡୁଛି । ହେଲେ ସୁବର୍ଣ୍ଣରେଖାର ପାଣି ସବୁ ଉଜାଡ଼ି ଦେଇଛି । ପାଣି ପଶିବା ଫଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ବାଇଗଣ, ଭେଣ୍ଡି, କଲରା, ଜହ୍ନି, ପୋଟଳ, କାକୁଡି ଭଳି ପରିବା ଚାଷ । 

ବିଡ଼ମ୍ବନାର ବିଷୟ ବର୍ଷ ବର୍ଷ ହେଲା ଏମିତି ଭାଗ୍ୟ ସହ ଜୁଝୁଛନ୍ତି ସୁବର୍ଣ୍ଣରେଖା ତଳିଆ ଅଞ୍ଚଳରେ ରହୁଥିବା ଲୋକେ । ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ହୋଇଥିବା କହୁଛନ୍ତି । କିନ୍ତୁ ସୁବର୍ଣ୍ଣରେଖାରେ ପାଣି ଆସିବା ପରେ କଲବଲ ହେଉଛନ୍ତି ଲୋକେ । ବନ୍ୟା ଦୁଃଖରୁ ମୁକ୍ତି ପାଇଁ,  ୨୦୦୯ରେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବିଡମ୍ବନାର ବିଷୟ ଏପର୍ଯ୍ୟନ୍ତ ଫାଇଲ ତଳେ ଚାପି ହୋଇ ରହି ଯାଇଛି ଏହି ପ୍ରସ୍ତାବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe