କନକ ବ୍ୟୁରୋ : ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସ୍ପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି । ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବା ବେଳେ ଡାକ୍ତରମାନେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ନିଜର ସାଥି ମହିଳା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତ ଶନିବାରଠାରୁ କନିଷ୍ଠ ଡାକ୍ତରମାନେ ଆମରଣ ଅନଶନରେ ବସିଛନ୍ତି । ଏହା ସହିତ ଦୁର୍ନୀତିମୁକ୍ତ ଏବଂ ମେଡିକାଲ କ୍ୟାମ୍ପସରେ ରୋଗୀ ଅନୁକୂଳ ପରିବେଶ ଦାବିରେ ଏହି ଅନଶନ ଚାଲିଛି ।
ସେହିପରି ସେମାନଙ୍କର ଅନ୍ୟାନ୍ୟ ଦାବି ହେଉଛି, ରାଜ୍ୟର ସମସ୍ତ ଡାକ୍ତରଖାନା ଏବଂ ମେଡିକାଲ୍ କଲେଜଗୁଡ଼ିକ ପାଇଁ ଏକ କେନ୍ଦ୍ରୀଭୂତ ରେଫରାଲ୍ ବ୍ୟବସ୍ଥା ପ୍ରତିଷ୍ଠା । ବେଡ୍ ଖାଲି, ମନିଟରିଂ ସିଷ୍ଟମ ଲାଗୁ କରିବା ଏବଂ ସିସିଟିଭି, ଅନ୍-କଲ୍ ରୁମ୍ ଏବଂ ୱାଶରୁମ୍ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ କରିବାକୁ ଟାସ୍କଫୋର୍ସ ଗଠନ କରିବା । ଏଥିସହିତ ଡାକ୍ତରଖାନାରେ ପୋଲିସର ସୁରକ୍ଷା ବୃଦ୍ଧି, ସ୍ଥାୟୀ ମହିଳା ପୋଲିସ୍ କର୍ମଚାରୀ ନିଯୁକ୍ତି ଏବଂ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଖାଲି ପଦବୀ ଶୀଘ୍ର ପୂରଣ କରିବାକୁ ସେମାନେ ଦାବି ।