କନକ ବ୍ୟୁରୋ: ଓଡ଼ିଶାରେ ଗତ ୪ ବର୍ଷରେ ୨୧ ହଜାର ୯୧୯ ଜଣ ଆତ୍ମହତ୍ୟା କରିଛନ୍ତି । ଓଡ଼ିଶା ପୁଲିସର ବାର୍ଷିକ ରିପୋର୍ଟରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିବିଶେଷଙ୍କୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି । ଏକାଠି ରହୁଥିବା ଦମ୍ପତି, ଅଲଗା ରହୁଥିବା ଦମ୍ପତି, ବିବାହ ବିଚ୍ଛେଦ ହୋଇଥିବା ଦମ୍ପତି, ବିଧବା, ଅବିବାହିତ ଏବଂ ଅନ୍ୟାନ୍ୟ । କିନ୍ତୁ ଏହି ୬ଟି ବର୍ଗ ମଧ୍ୟରୁ ଏକାଠି ରହୁଥିବା ଦମ୍ପତିଙ୍କ ମଧ୍ୟରେ ଅଧିକ ଆତ୍ମହତ୍ୟା ପ୍ରବଣତା ରହୁଥିବା ତଥ୍ୟ କହୁଛି । ବିଗତ ୪ ବର୍ଷ ଭିତରେ ଏହି ବର୍ଗରେ ୪ ହଜାର ୮୫୪ ଜଣ ଆତ୍ମହତ୍ୟା କରିଛନ୍ତି । ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏବେ ଆତ୍ମହତ୍ୟା ମାନସିକତା ବୃଦ୍ଧି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।
୪ ବର୍ଷରେ ୨୧ ହଜାର ୯୧୯ ଆତ୍ମହତ୍ୟା
ଏକାଠି ରହୁଥିବା ଦମ୍ପତି ୪୮୫୪
ଆତ୍ମହତ୍ୟାକୁ ନିରୋଧ କରିବା ଲାଗି ସରକାରୀ ସ୍ତରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆତ୍ମହତ୍ୟା ପ୍ରବଣତାକୁ ରୋକିବା ବଡ଼ ଆହ୍ଵାନ ସୃଷ୍ଟି କରିଛି । ଓଡ଼ିଶା ପୁଲିସର ତଥ୍ୟ ମୁତାବକ, ୨୦୨୨ରେ ଓଡ଼ିଶାରେ ୬ ହଜାର ୧୪୦ ଜଣ ଆତ୍ମହତ୍ୟା କରିଥିଲେ । ଏହି ବର୍ଷ ୩ ହଜାର ୩୧ ଜଣ କେବଳ ପାରିବାରିକ ସମସ୍ୟା ପାଇଁ ଆତ୍ମହତ୍ୟା କରିଥିଲେ । ମୋଟ ଆତ୍ମହତ୍ୟା ସଂଖ୍ୟାରୁ ପୁରୁଷ ୨ ହଜାର ୧୫୦ ଓ ମହିଳା ୩ ହଜାର ୯୯୦ ଥିଲେ । ମହିଳାଙ୍କ ଭିତରେ ଗୃହିଣୀ ୨ ହଜାର ୯୬୧ । ମୋଟ ଆତ୍ମହତ୍ୟା ସଂଖ୍ୟାରୁ ଏକାଠି ରହୁଥିବା ଦମ୍ପତିଙ୍କ ସଂଖ୍ୟା ୨ ହଜାର ୯୧୯ । ସେହିଭଳି ୨୦୨୧ରେ ୫ ହଜାର ୬୫୧ଜଣ ଆତ୍ମହତ୍ୟା କରିଥିଲେ । ଏଥିରେ ପୁରୁଷ ୪ ହଜାର ୪୧୨ ଓ ମହିଳା ୧ ହଜାର ୨୩୯ । ମହିଳାଙ୍କ ଭିତରେ ୩୭୭ ଜଣ ଗୃହିଣୀ ଥିଲେ ।