କନକ ବ୍ୟୁରୋ : ଚୋରି ହେଲା ହାଇଦ୍ରାବାଦରୁ, ଜବତ ହେଲା ବାଲେଶ୍ବରରୁ। ୨୧ ଲକ୍ଷ ଟଙ୍କା ଲୁଟ୍ ପାଇଁ ଷଡ଼ଯନ୍ତ୍ର କରିଥିଲେ ଶଳା, ଭିଣୋଇ। କିନ୍ତୁ ହାଇଦ୍ରାବାଦ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ବର କମର୍ଦ୍ଦା ଥାନା ବଡ଼ ମନ୍ଦାରୁଣୀ ଗାଁରେ ଚଢାଉ କରି ଜବତ କରିଛି ୧୬ ଲକ୍ଷ ଟଙ୍କା। ଇଏ ହେଉଛି ସେହି ସମୟର ଦୃଶ୍ୟ, ଯେତେବେଳେ ଖତ ଗଦାକୁ କୋଦାଳରେ ତାଡ଼ି ପୋଲିସ ବିଡ଼ା ବିଡ଼ା ନୋଟ୍ ପାଇଛି। ଗୋଟିଏ ପଲିଥିନରେ ଭର୍ତ୍ତି କରି ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ବିଡ଼ାକୁ ଖତ ଗଦାରେ ପକାଇ ଦେଇଥିଲେ ଅଭିଯୁକ୍ତ ରାଜେନ୍ଦ୍ର ବେହେରାଙ୍କ ପରିବାର। ହାଇଦ୍ରାବାଦରୁ ରାଜେନ୍ଦ୍ର ଗିରଫ ପରେ ତା ବୟାନ ଆଧାରରେ ହାଇଦ୍ରାବାଦର କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ବରର ବଡ଼ ମନ୍ଦାରୁଣି ଗାଁରେ ଚଢାଉ କରିଥିଲା। 

Advertisment

ହାଇଦ୍ରାବାଦର ଲୋହିଆ ଆଗ୍ରୋ ଇଣ୍ଡଷ୍ଟ୍ରି କମ୍ପାନୀରେ ଦୀର୍ଘ ୧୦ ବର୍ଷ ହେଲା କାର୍ୟ୍ୟ କରୁଥିଲେ ବାଲେଶ୍ବରର ଗୋପାଳ ବେହେରା। ନଭେମ୍ବର ୮, ୯ ଓ ୧୦ ଲଗାତର ୩ ଦିନ ବ୍ୟାଙ୍କ ବନ୍ଦ ଥିବାରୁ କମ୍ପାନୀ କର୍ତ୍ତୃପକ୍ଷ ୨୧ ଲକ୍ଷ ଟଙ୍କା କମ୍ପାନୀ ଲକରରେ ରଖିଥିଲେ। ୧୦ ତାରିଖ ରାତିରେ ଗୋପାଳ ଲକର ରୁମ୍‌ର ସିସିଟିଭି ବନ୍ଦ କରି କୌଶଳ କ୍ରମେ ଲକର୍ ପିନ୍ ମାରି ଟଙ୍କା ଚୋରି କରିଥିଲେ। ଏହାପରେ ସେହି ୨୧ ଲକ୍ଷ ଟଙ୍କାକୁ ହାଇଦ୍ରାବାଦର ଅନ୍ୟ ଏକ କମ୍ପାନୀରେ କାମ କରୁଥିବା ତାଙ୍କ ଶାଳକ ରାଜେନ୍ଦ୍ରଙ୍କୁ ଦେଇ ଘରକୁ ପଠାଇଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ଛାନଭିନ୍ କରିଥିଲା ପୋଲିସ। ଗୋପାଳ ବେହେରାଙ୍କ ମୋବାଇଲ୍ ନମ୍ବର ଟ୍ରାକ୍ କରିଥିଲା ଏବଂ କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ ପରେ ଗୋପାଳଙ୍କ ଶଳା ରାଜେନ୍ଦ୍ରଙ୍କୁ ଥାନାକୁ ଡାକିଥିଲା। ଆଉ ପଚରାଉଚରା କରିବା ପରେ ସିଧା ସିଧା ସତ ମାନିଯାଇଥିଲା ରାଜେନ୍ଦ୍ର। 


 ହାଇଦ୍ରାବାଦରୁ ରାଜେନ୍ଦ୍ର ବେହେରାକୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଏବେବି ଫେରାର୍ ଅଛି। ରାଜେନ୍ଦ୍ରଙ୍କ ବା’ଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।