କନକ ବ୍ୟୁରୋ : ମଣିଷ ଏବେ ମୋବାଇଲ୍ ଦୁନିଆରେ ବଞ୍ଚୁଛି କହିଲେ ଭୁଲ୍ ହେବନାହିଁ । କାରଣ ମନୋରଞ୍ଜନଠାରୁ ଆରମ୍ଭ କରି ପାଠପଢ଼ା, ଡିଜିଟାଲ୍ ପେମେଣ୍ଟ ପର୍ଯ୍ୟନ୍ତ ସବୁ କିଛି ମୋବାଇଲ୍ ଜରିଆରେ ହେଉଛି । ହେଲେ ଓଡ଼ିଶାରେ ଏବେବି ଏମିତି ଅନେକ ଗାଁ ଅଛି ଯେଉଁଠି ମୋବାଇଲ ନେଟୱର୍କ ପହଞ୍ଚିପାରିନାହିଁ, ମୋବାଇଲ୍ ସେବା ସ୍ବପ୍ନ ହୋଇରହିଛି । ଟେଲିକମ୍ ବିଭାଗର ଓଡ଼ିଶା ସ୍ଥାନୀୟ ସେବା ଅଞ୍ଚଳ କାର୍ଯ୍ୟାଳୟ ତଥ୍ୟ କହୁଛି ରାଜ୍ୟର ୧୨୩୭ଟି ଗାଁରେ ଏବେ ସୁଦ୍ଧା ମୋବାଇଲ୍ ସେବା ପହଞ୍ଚିନାହିଁ । ସେଥିରୁ ଅଧିକାଂଶ ଗାଁ ଆଦିବାସୀ ବହୁଳ, ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ରହିଛି । ବିଶେଷ କରି ମାଓ ଉପଦ୍ରୁତ ଅଞ୍ଚଳଗୁଡ଼ିକରେ ଥିବା ଛୋଟ ଛୋଟ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରିନାହିଁ । ରାଜ୍ୟରେ ଏଭଳି ୫୧୭ଟି ଗାଁ ରହିଛି ଯେଉଁଠାରେ କେବଳ ୨ଜି ସେବା ଆସୁଛି। ଏଥିପାଇଁ ସେଠାକାର ଲୋକମାନେ କେବଳ ଭଏସ୍ କଲ୍ କରିପାରୁଛନ୍ତି ।
- ୫୧୭ଟି ଗାଁରେ କେବଳ ୨ଜି ସେବା ରହିଛି
- ଓଡ଼ିଶାର ୩୦ଟି ଜିଲ୍ଲାରେ ସମୁଦାୟ ୫୧,୧୭୬ଟି ଗାଁ ରହିଛି
- ୪୯,୯୩୯ଟି ଗାଁରେ ମୋବାଇଲ୍ ସେବା ଉପଲବ୍ଧ ହୋଇଛି
- ଅଧିକାଂଶ ଗାଁର ବାସିନ୍ଦା ୫ଜି ଭଳି ହାଇସ୍ପିଡ୍ ଇଣ୍ଟରନେଟ୍ ସୁବିଧାରୁ ଦୂରରେ
- ୧୨୦୦ରୁ ଅଧିକ ଗାଁରେ ଏପର୍ୟ୍ୟନ୍ତ ୨ଜି ଭଳି ସାଧାରଣ ସେବା ପହଞ୍ଚିପାରିନାହିଁ
- କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି
- ‘ଭାରତ ଡିଜିଟାଲ ନିଧି ପ୍ରକଳ୍ପ’ରେ ଅପହଞ୍ଚ ଗାଁକୁ ମୋବାଇଲ୍ ସେବା ପହଞ୍ଚାଇବାକୁ ଉଦ୍ୟମ
- କିନ୍ତୁ ଏ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇନାହିଁ
- କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡିରେ ସେଭଳି ଅନେକ ଗାଁ ରହିଛି
ଅଧିକ ପଢନ୍ତୁ : ମାତ୍ରାଧିକ ମୋବାଇଲ୍ ବ୍ୟବହାର ଶିଶୁ ଓ କିଶୋରଙ୍କ ମଧ୍ୟରେ ବଢାଉଛି ହୃଦ୍ରୋଗ
ରାଜ୍ୟର ଟେଲିକମ୍ ସେବା ସ୍ଥିତି ସମ୍ପର୍କରେ ନାଇଜର୍ର ମାନବୀୟ ଓ ସାମାଜିକ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଅମରେନ୍ଦ୍ର ଦାସ କହିଛନ୍ତି ଯେ ଯେଉଁଠାରେ ଏହି ସେବା ନାହିଁ ତାହାର ଅର୍ଥ ହେଉଛି ସେମାନେ ଦୁନିଆରୁ ଡିଜିଟାଲ ବିଚ୍ଛିନ୍ନ ହୋଇରହିଛନ୍ତି । ସରକାରଙ୍କ ଅନେକ ଯୋଜନାର ଲାଭ, ସ୍କୁଲ ଓ କଲେଜରେ ନାମଲେଖା ଭଳି ଅନେକ ସେବାକୁ ଅନ୍ଲାଇନ୍ରେ ପ୍ରଦାନ କରାଯାଉଛି । ଏହି ଅଞ୍ଚଳର ଲୋକମାନେ ସେହି ସବୁ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ସଦ୍ୟତମ ତଥ୍ୟ ଅନୁଯାୟୀ ୨୦୨୫ ଡିସେମ୍ବର ସୁଦ୍ଧା ରାଜ୍ୟରେ ୩ କୋଟି ୭୨ ଲକ୍ଷ ୬୨ ହଜାର ୨୮୯ ଜଣ ମୋବାଇଲ ଗ୍ରାହକ ରହିଛନ୍ତି । ମାସକ ଭିତରେ ସେମାନଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୩୫୧ ବଢ଼ିଛି । ରାଜ୍ୟରେ ପ୍ରତି ୧୦୦ ଜଣରେ ୮୧ ଜଣଙ୍କ ପାଖରେ ମୋବାଇଲ୍ ସଂଯୋଗ ରହିଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ବପ୍ନ ନେଇ ଆଗକୁ ବଢ଼ୁଥିବା ରାଜ୍ୟ ସରକାରଙ୍କ ପାଇଁ ଏହି ସବୁ ଅଞ୍ଚଳରେ ମୋବାଇଲ୍ ସେବା ପହଞ୍ଚାଇବା ପ୍ରାଥମିକତା ହେବା ଉଚିତ ବୋଲି ବିଶେଷଜ୍ଞ କହିଛନ୍ତି ।
Follow Us