କନକ ବ୍ୟୁରୋ: ମିଲ୍‌ ବାହାରେ ଗଦା ହୋଇଛି ଧାନବସ୍ତା । ପଡ଼ି ରହିଛି ଏକ ହଜାରରୁ ଅଧିକ ବସ୍ତା । ନିୟମ ନଥିବା ଜରିଅଖାରେ ବସ୍ତା ସିଲେଇ ହୋଇଛି । ୨ରୁ ୩ ଦିନ ହେଲାଣ ଧାନବସ୍ତା ଖରା, ବର୍ଷା ମାଡ଼ ଖାଉଛି, ହେଲେ ଦେଖିବାକୁ କେହି ନାହିଁ । ଜିଲ୍ଲା ଯୋଗାଣ ଅଧିକାରୀ ସ୍ଥାନୀୟ ଯୋଗାଣ ଅଧିକାରୀଙ୍କ କାନ୍ଧରେ ଦାୟିତ୍ୱ ଥୋପି ଚୁପ୍‌ ରହି ଯାଇଛନ୍ତି ।  

Advertisment

ଫିମ୍ପି ମାରିଗଲାଣି ଧାନ । ହେଲେ କେହି ଦେଖୁନାହାନ୍ତି । ଏ ହେଉଛି ଖଲ୍ଲିକୋଟ ବ୍ଲକ୍‌ ବେଡ଼ ପଞ୍ଚାୟତ ବିଳାସପୁରରେ ଥିବା ମାଆ ଦକ୍ଷିଣକାଳୀ ରାଇସ୍‌ ମିଲ୍‌ । ମିଲ୍‌ ବାହାରେ ଜରି ଅଖାରେ ହଜାର ହଜାର ବସ୍ତା ଧାନ ଗଦା ହୋଇ ରହିଛି । ଜରି ଅଖାରେ ଧାନ ରଖିବାକୁ ନିୟମ ନଥିଲା ବେଳେ ଏଠାରେ ଚୁଲିକୁ ଯାଇଛି ସରକାରୀ ଗାଇଡ୍‌ଲାଇନ୍ସ । ମିଲ୍‌ ଭିତରେ ବି ଝୋଟ ଅଖା ସହ ଜରିଅଖାରେ ଧାନ ରଖାଯାଇଛି । ଖରା, ବର୍ଷା ଖାଇ ୩ ଦିନ ହେଲାଣି ସମାନ ସ୍ଥିତି ଥିଲେ ବି କେହି କିଛି କହୁନାହାନ୍ତି । ରାସ୍ତା କଡ଼ରେ ଏହି ମିଲ୍‌ ଥିଲାବେଳେ ବାହାରେ ରହିଥିବା ଧାନ ପ୍ରତି ସମସ୍ତେ ଆଖି ବୁଜି ଦେଇଛନ୍ତି । ଏପରିକି ଏ କଥା ବ୍ଲକ୍‌ ଯୋଗାଣ ଅଧିକାରୀ ଜାଣିଥିଲେ ବି ଅତି ହାଲୁକା ଭାବେ ନେଇଛନ୍ତି ।

କୁହାଯାଉଛି, ମାଆ ତାରିଣୀ ରାଇସ୍‌ ମିଲ୍‌ରୁ ଯେଉଁ ଧାନ ଅନ୍ୟ ମିଲ୍‌କୁ ସ୍ଥାନାନ୍ତର ହେଉଛି, ସେହି ଧାନ ବାହାରେ ଖରାବର୍ଷା ଖାଉଛି । ଜରି ଅଖାରେ ଧାନ ରହିଥିବା ବେଳେ ପ୍ରଶାସନ ଅନୁକମ୍ପା ନେଇ ଉଠିଛି ପ୍ରଶ୍ନ । ନିୟମ କହୁଛି, ୧ କ୍ବିଣ୍ଟାଲ୍‌ ଧାନ ଲାଗି ୩ଟି ଝୋଟବସ୍ତା ବ୍ୟବହାର ହେବ । ଯାହାକୁ ମିଲର୍ସ ଯୋଗାଇବେ । ହେଲେ ବିଭାଗୀୟ ଏସି ନୋଟ୍‌ରେ ଗତ ୮ ତାରିଖରେ ଏହି ମିଲ୍‌କୁ ଆସିଥିବା ୮୬.୯୫  କ୍ୱିଣ୍ଟାଲ ଧାନ ଲାଗି ୧୨୦ଟି ବସ୍ତା ବ୍ୟବହାର କରାଯାଇଥିବା ଦର୍ଶାଯାଇଛି । ଅର୍ଥାତ ଧାନ ବସ୍ତାର ଓଜନ ୪୦ କିଲୋ ଛୁଇଁବା କଥା ନୁହେଁ ଅଥଚ ଏଠାରେ ୭୦ କିଲୋ ପର୍ଯ୍ୟନ୍ତ ଓଜନ ରହିଛି । ଏବେ ପ୍ରଶ୍ନ ଉଠିଛି, ଯୋଗାଣ ବିଭାଗର ଏହି ରାଇସ ମିଲକୁ ଏତେ ଅନୁକମ୍ପା କାହିଁକି ? ଗମା ହେଉଥିବା ଏ ଧାନକୁ କେମିତି କିଣିବେ ସରକାର ? ଏଥିରୁ ବାହାରିବା ଚାଉଳ କେମିତି ଖାଇବେ ପିଡିଏସ୍‌ ହିତାଧିକାରୀ ?