କନକ ବ୍ୟୁରୋ : ହାତରେ କୋଦାଳ, ଶାବଳ ଧରି ମାଟି ଖୋଳୁଛନ୍ତି ମହିଳାମାନେ । କିଏ ବାଲି ବସ୍ତା ନେଇ ପକାଉଛି । ଆଉ କିଏ ପାଛିଆ ଧରି ମାଟି ଗୋଟାଇ ହିଡ଼ ତିଆରି କରିବାରେ ଲାଗିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଗାଁର ଚିତ୍ର । ଦେଢ଼ ବର୍ଷ ହେଲା ଗାଁ ପୋଖରୀର ଚେକ ଡ୍ୟାମ ଭାଙ୍ଗି ଯାଇଥିବାରୁ ପୋଖରୀ ଶୁଖିଯାଉଥିଲା । ଫଳରେ ସ୍ନାନ ଶୌଚ ପାଇଁ ସମସ୍ୟାରେ ପଡୁଥିଲେ ଗ୍ରାମବାସୀ । ଏନେଇ ପ୍ରଶାସନକୁ ବାରମ୍ୱାର ଜଣାଇବା ସତ୍ତ୍ବେ କିଛି ନ ଶୁଣିବାରୁ ନିଜେ ଶ୍ରମଦାନ କରି କଳାପଥର ଗାଁର ମହିଳାମାନେ ଚେକ ଡ୍ୟାମ ତିଆରି କରିଛନ୍ତି ।
କଳାପଥର ଗାଁରେ ରହୁଥିବା ୧୦୦ଟି ପରିବାର ଏହି ପୋଖରୀ ଉପରେ ନିର୍ଭରଶୀଳ । କେବଳ ସ୍ନାନ ଶୌଚ ନୁହେଁ, ପୋଖରୀ ପାଣିକୁ ମଡ଼ାଇ ଚାଷ କରିଥାନ୍ତି ଚାଷୀ । କିନ୍ତୁ ଦୁଇ ବର୍ଷ ତଳେ ପ୍ରବଳ ବର୍ଷାରେ ଭାଙ୍ଗି ଯାଇଥିଲା ପୋଖରୀର ଚେକଡ୍ୟାମ। ତେଣୁ ପୋଖରୀରେ ଆଉ ପାଣି ମୁନ୍ଦାଏ ମଧ୍ୟ ରହୁନଥିଲା । ପ୍ରଶାସନ ନଶୁଣିବାରୁ ଗାଁ ମହିଳା ଏକାଠି ହୋଇ ଚେକଡ୍ୟାମ ତିଆରି କରିବା ଘଟଣାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
କଳାପଥର ଗାଁର ମହିଳା ମାନଙ୍କ ନିଜସ୍ୱ ଉଦ୍ୟମରେ ପୋଖରୀରେ ଚେକ ଡ୍ୟାମ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।