କନକ ବ୍ୟୁରୋ: ଗାଜା ସହରରେ ଇସ୍ରାଏଲର ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ୍‌ ଜାରି ରହିଛି । ଗତକାଲିଠାରୁ ଆକ୍ରମଣର ତୀବ୍ରତା ବଢ଼ିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ  ଶତାଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହା ଚଳିତ ଯୁଦ୍ଧରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି । ଏହି ଆକ୍ରମଣରୁ ଆବାସିକ ଅଞ୍ଚଳ, ବିସ୍ଥାପିତଙ୍କ ଶିବିର ଓ ସାଧାରଣ ନାଗରିକଙ୍କ ଗାଡ଼ି ମଧ୍ୟ ବର୍ତ୍ତି ନାହିଁ । ଏଭଳି ଆକ୍ରମଣ ଗାଜାରେ ମାନବୀୟ ସଙ୍କଟକୁ ଆହୁରି ଗଭୀର କରିଛି। ସପ୍ତାହେ ହେଲା ଇସ୍ରାଏଲର ସ୍ଥଳ ଅଭିଯାନ ତୀବ୍ର ହେବା ପରେ ୪.୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଆଲ୍‌-ଶିଫା ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଆବୁ ସାଲମିୟାଙ୍କ  ଭାଇ, ଭାଉଜ ଓ ସେମାନଙ୍କ ସନ୍ତାନମାନେ ଏହି  ଆକ୍ରମଣରେ ନିହତ ହୋଇଛନ୍ତି । ଏକ ଟ୍ରକ୍‌ରେ ପଳାୟନ କରୁଥିବା ଲୋକଙ୍କ ଉପରେ ବୋମାମାଡ଼ ଯୋଗୁଁ ୨୦ରୁ ଅଧିକ ନିହତ ହୋଇଛନ୍ତି ।

Advertisment

ପାଲେଷ୍ଟାଇନ ସିଭିଲ ଡିଫେନ୍ସ ଏଜେନ୍ସି କହିଛି, ବିପଜ୍ଜନକ ପରିସ୍ଥିତି ଯୋଗୁଁ ଆହତ ଓ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇପଡ଼ିଛି । ଇସ୍ରାଏଲ ଏବେ ବିସ୍ଫୋରକ ରୋବଟ ବ୍ୟବହାର କରୁଛି, ଯାହା ସମ୍ପୂର୍ଣ୍ଣ ଅଞ୍ଚଳକୁ ଧ୍ୱଂସ କରିବାରେ ଲାଗିଛି ବୋଲି କେତେକ ଏନ୍‌ଜିଓ ଦାବି କରିଛନ୍ତି । ଡାକ୍ତରମାନେ ସହର ଛାଡ଼ିବାକୁ ବାଧ୍ୟ ହେଉଥିବାରୁ ଆଗକୁ ଅତି ଭୟାନକ ସ୍ଥିତି ଉପୁଜିବ ବୋଲି ଜାତିସଂଘ ମଧ୍ୟ ସତର୍କ କରାଇ ଦେଇଛି । ଅନ୍ୟ ପକ୍ଷରେ  ତେଲ୍‌ ଅଭିଭ୍‌ରେ ହଜାର ହଜାର ଜନତା ଶାନ୍ତି ଓ ପଣବନ୍ଦୀଙ୍କୁ ଖଲାସ ଦାବିରେ ବିକ୍ଷୋଭ କରିଛନ୍ତି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ୍‌ ସହ ଶାନ୍ତି ଆଲୋଚନା ନେଇ କୌଣସି ସଙ୍କେତ ଦେଇନାହାନ୍ତି ।