କନକ ବ୍ୟୁରୋ : କଟକ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ ସାମ୍ନାକୁ ଆସିଛି । ଗଣଦୁଷ୍କର୍ମର ଶିକାର ପୀଡିତାଙ୍କୁ ନ୍ୟାୟ ପାଇଁ ନୟାନ୍ତ ହେବାକୁ ପଡିଥିଲା । ଏଫଆଇଆର ରୁଜୁ କରିବାକୁ ଥାନାରୁ ଥାନାକୁ ଚକ୍କର କାଟିବାକୁ ପଡିଥିଲା । କିନ୍ତୁ ଏଫଆଇଆର ରୁଜୁ କରିବା ପରିବର୍ତ୍ତେ ଫେରାଇ ଦେଇଥିଲା ବାଦାମବାଡି ଥାନା । ବୟଫ୍ରେଣ୍ଡ ତ ବିଶ୍ୱାସ ଭାଙ୍ଗିଥିଲା, କିନ୍ତୁ ପୋଲିସ ଯେପରି ନିଜ ଦାୟିତ୍ୱ ଦୂରେଇ ରହିବାକୁ ଚାହୁଁଥିଲା ।
ବାଦାମବାଡି ଥାନା ବଦଳରେ ପୁରୀଘାଟ ଥାନାରେ ଏଫଆଇଆର ଦେବାକୁ ପଠାଇଦେଇଥିଲା ପୋଲିସ । କାରଣ ପୁରୀଘାଟ ଅଞ୍ଚଳରେ ଥିବା କାଫେରେ ହୋଇଥିଲା ଗଣଦୁଷ୍କର୍ମ । ପରେ କୌଣସି ବିବାଦ ଯେପରି ନଉପୁଜୁ ସେଥିପାଇଁ ବାଦାମବାଡି ଥାନା ମାମଲା ରୁଜୁ କରିଥିଲା । କିନ୍ତୁ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ପୋଲିସ ଦାୟିତ୍ୱହୀନତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଅନ୍ୟପଟେ କଟକ ଡିସିପି ଏଭଳି ଅଭିଯୋଗକୁ ଭିତ୍ତିହୀନ କହି ଦୋଷ ଛଡାଇବାକୁ ଚେଷ୍ଟା କରିଛନ୍ତି ।
ଦୁଷ୍କର୍ମ ଭଳି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିରୋ ଏଫଆଇଆର ବ୍ୟବସ୍ଥା ଆସିଥିଲା । କିନ୍ତୁ କଟକ ଗଣଦୁଷ୍କର୍ମ ମାମଲାରେ ଜିରୋ ଏଫଆଇଆରର ସମ୍ପୂର୍ଣ୍ଣ ଉଲ୍ଲଂଘନ କରିଛି ପୋଲିସ ।
ଥାନାକୁ ଥାନା କାହିଁକି ବୁଲିଲେ ପୀଡିତା ?
- ବାଦାମବାଡି ଥାନାରେ ପ୍ରଥମେ ପୀଡିତାଙ୍କ ଏଫଆଇଆର ରଖାଯାଇନଥିବା ଅଭିଯୋଗ
- ପୀଡିତାଙ୍କ ପାଖକୁ ପୋଲିସ ନଯାଇ ଥାନାକୁ ଡାକିବା ଆଇନର ଉଲ୍ଲଂଘନ
- ଆଇନ ଅନୁଯାୟୀ, ଯେକୌଣସି ଥାନାରେ ଏଫଆଇଆର ଦିଆଯାଇପାରିବ
- ମାମଲା ରୁଜୁ କରିବା ପରେ ପୋଲିସ ହିଁ ଏଫଆଇଆରରେ ଉଲ୍ଲେଖ ଥିବା ଥାନାକୁ ଅବଗତ କରିବେ
କିନ୍ତୁ କଟକ ଗଣଦୁଷ୍କର୍ମ ମାମଲାରେ ବାଦାମବାଡି ଥାନା ପୀଡିତାଙ୍କ କ୍ଷେତ୍ରରେ ଯେଉଁ ଆଭିମୁଖ୍ୟ ଦେଖାଇଥିଲା, ତାହା ସହଜରେ ଗ୍ରହଣୀୟ ନୁହେଁ । ଅନ୍ୟପଟେ ଡିଜିପିଙ୍କୁ ଭେଟି ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି କଟକ ବାରବାଟୀ ବିଧାୟିକା ।
ସରକାରଙ୍କ ପାଇଁ ମହିଳା ସୁରକ୍ଷା ସର୍ବୋପରି । ତେବେ ଗଣଦୁଷ୍କର୍ମ ଭଳି ଅତି ସମ୍ବେଦନଶୀଳ ମାମଲାରେ ଜିରୋ ଏଫଆଇଆର କାହିଁକି ରଖିନଥିଲା ପୋଲିସ ? ଆଇନ ଠାରୁ ଉର୍ଦ୍ଧ୍ୱରେ କି ବାଦାମବାଡି ଥାନା ? କାହାକୁ ସୁରକ୍ଷା ଦେଉଛନ୍ତି ଡିସିପି ?