କନକ ବ୍ୟୁରୋ : ପହଲଗାମ୍‌ରେ ଆକ୍ରମଣ କରି ପୂରା ଭାରତ ଆଖିରେ ଲୁହ ଦେଇଥିଲା ପାକିସ୍ତାନ । ନିରୀହ ଲୋକଙ୍କ ଜୀବନ ନେଇଥିଲେ ନର ରାକ୍ଷସ । ଭାରତ ମା’ର ଆଖିରୁ ଝରିଥିଲା ରକ୍ତର ଲୁହ । ଏହାର ଜବାବ୍‌ ଦେବାକୁ ଯାଇ ଭାରତ କରିଥିଲା ଅପରେସନ୍‌ ସିନ୍ଦୂର,ରାତିଅଧିଆ ପାକ୍‌ର ଆତଙ୍କୀ ଆଡ୍ଡା ଉପରେ କରିଥିଲା ମିସାଇଲ୍‌ ମାଡ଼ । ଶତ୍ରୁ ଦେଶକୁ ଭାରତ ଦେଇଥିଲା କଡ଼ା ଜବାବ୍‌ । ଆତଙ୍କବାଦ ବିରୋଧରେ ଏହି ଲଢ଼େଇରେ ଭାରତ ଯେଉଁ ଦୃଢ଼ତାର ସହିତ ପାକିସ୍ତାନକୁ ଧୂଳି ଚଟାଇଛି ତାହା ଦେଶ ଏବଂ ବିଶ୍ୱରେ ଭାରତର ସ୍ଥିତିକୁ ଆହୁରି ମଜବୁତ୍‌ କରିଛି । ଏହି ଆକ୍ରମଣଗୁଡ଼ିକର ଯୋଜନା ଏବଂ କାର୍ଯ୍ୟାପ୍ରଣାଳୀ, ଭାରତର ଶକ୍ତିର ସଠିକତାକୁ ପ୍ରଦର୍ଶନ କରିଛି । 

Advertisment

ପ୍ରଧାନମନ୍ତ୍ରୀଙ୍କ ରଣହୁଙ୍କାର

ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ କେଉଁ ପ୍ରକାର ନିଷ୍ପତ୍ତି ନେବେ,ଏହା ଉପରେ ଭାତରବାସୀଙ୍କ ନଜର ଥିଲା । ଖାଲି ସେତିକି ନୁହେଁ ବିରୋଧୀମାନଙ୍କର ଚାପ ମଧ୍ୟ ଥିଲା । ସବୁ ସତ୍ତ୍ୱେ ମଧ୍ୟ ବିହାର ଅଭିଭାଷଣ ଦେବା ସମୟରେ ରଣହୁଙ୍କାର ଦେଇଥିଲେ ମୋଦୀ ଏବଂ କହିଥିଲେ ପାକିସ୍ତାନକୁ ମାଟିରେ ମିଶାଇବାର ସମୟ ଆସିଯାଇଛି । ଶେଷରେ ସେଇଆ ହିଁ ହେଲା,୭ ମେ’  ସୂର୍ଯ୍ୟାସ୍ତ ହେଲା ବେଳକୁ ନିଆଯାଇଥିଲା ବଡ଼ କାର୍ଯ୍ୟାନୁଷ୍ଠାନ । ଆକ୍ରମଣର ୧୫ ଦିନ ପରେ ଏପରି ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିଥିଲା ବିଶ୍ୱ । ପ୍ରଧାନମନ୍ତ୍ରୀଙ୍କ ଏହି ବଡ଼ ନିଷ୍ପତ୍ତି ପଛରେ ଏକ ଦୃଢ଼ ରଣନୀତି ନଜର ଆସୁଛି । 

ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ କୂଟନୀତି 

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଉନ୍ନତ କୂଟନୈତିକ ସକ୍ରିୟତା ଦେଖାଇଥିଲେ । ଆମେରିକା, ୟୁରୋପ ୟୁନିୟନ ଏବଂ ଫ୍ରାନ୍ସ ସମେତ ବିଶ୍ୱର ପ୍ରମୁଖ ଦେଶର ନେତାମାନଙ୍କ ସହ କଥା ହୋଇ ଜୟଶଙ୍କର ଭାରତର ପକ୍ଷ ରଖିଥିଲେ । ଏହା ସହିତ ଜୟଶଙ୍କର ପାକିସ୍ତାନର ସହାନୁଭୂତିଶୀଳ ବନ୍ଧୁ ଚୀନକୁ ମଧ୍ୟ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ବିରୁଦ୍ଧରେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଆକ୍ରମଣର ମୁଁହତୋଡ଼ ଜବାବ ଦିଆଯିବ । ଜୟଶଙ୍କରଙ୍କ ସକ୍ରିୟତା ହିଁ ପାକିସ୍ତାନ ସହ ବିଶ୍ୱ ସ୍ତରରେ ମଧ୍ୟ ଏହି ବାର୍ତ୍ତା ଦେଇଥିଲା ଯେ ଆତଙ୍କବାଦ ବିରୋଧରେ ଭାରତର ଏ ଲଢ଼େଇ ବନ୍ଦ ହେବ ନାହିଁ । ପାକ୍‌ ଡରାଇବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ଭାରତ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ସମର୍ପିତ ମଧ୍ୟ । 

ଭାରତୀୟ ସଶସ୍ତ୍ରବାହିନୀର ବୀରତ୍ୱ

ଭାରତୀୟ ସେନାର ‘ଅପରେସନ ସିନ୍ଦୂର’ ହିଁ ବିଶ୍ୱ ସ୍ତରରେ ସେନାର ପରାକ୍ରମର ପ୍ରମାଣ ଦେଇଛି । ଏହି ଅପରେସନ୍‌ରେ ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ସେଗୁଡ଼ିକୁ ଧ୍ୱଂସ କରିଥିଲା । ଏହି ସଫଳତା କେବଳ ଭାରତର ସାମରିକ ଶକ୍ତିକୁ ପ୍ରଦର୍ଶନ କରିନଥିଲା ବରଂ ଦେଶବାସୀଙ୍କୁ ଉତ୍ସାହ ଏବଂ ଗର୍ବରେ ଭରି ଦେଇଥିଲା । 'ଅପରେସନ୍ ସିନ୍ଦୂର' ଅଧୀନରେ କରାଯାଇଥିବା ମିସାଇଲ୍‌ ଆକ୍ରମଣରେ ଅତି କମରେ ୧୦୦ ଜଣ ଆତଙ୍କବାଦୀଙ୍କ ନିହତ ହୋଇଥିଲା ।

ଖାଲି ସେତିକି ନୁହେଁ,୧୫ଟି ସହରରେ ଆକ୍ରମଣ କରିବାକୁଥିବା ପାକ୍‌ର ଯୋଜନାକୁ ମଧ୍ୟ ଡ୍ରୋନ୍‌ ଏବଂ ମିସାଇଲ୍‌ ବ୍ୟବହାର କରି ପଣ୍ଡ କରିଦେଇଥିଲା ଭାରତୀୟ ସେନା । ଏହା ସହିତ ପ୍ରତିରୋଧ ସ୍ୱରୂପ ଲାହୋରରେ ପାକିସ୍ତାନୀ ଏୟାର ଡେଫେନ୍ସକୁ ଧ୍ୱଂସ କରିଥିଲା ଭାରତ । ପାକିସ୍ତାନୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏସ୍‌-୪୦୦ ବ୍ୟବହାର କରିଯାଇଥିଲା । ଆଇଏନ୍‌ଏସ୍‌ ବିକ୍ରାନ୍ତ ମଧ୍ୟ ଆରବ ସାଗରେ ନିଜର ଶକ୍ତି ପଦର୍ଶନ କରିଥିଲା ।  ଭାରତର ସେନା ଶକ୍ତି ପ୍ରମାଣ କରିଛି ଯେ ଯେକୌଣସି ପ୍ରକାରର ଆକ୍ରମଣର ମୁକାବିଲା କରିବାକୁ ସେ ସମ୍ପୂର୍ଣ୍ଣ ସକ୍ଷମ । ଏହିଭଳି କିଛି ରହିଛି ଭାରତର ପ୍ରତିଆକ୍ରମଣର ଯୋଜନା । 

ଆଗକୁ ମଧ୍ୟ ଭାରତ ନେଇପାରେ ବଡ଼ ଆକ୍ସନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜିବି ବସିଥିଲା ବୈଠକ । ତିନି ସେନାର ମୁଖ୍ୟ ଏବଂ ସିଡିଏସ୍‌ ଅନିଲ ଚୌହାନଙ୍କ ସହ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।