କନକ ବ୍ୟୁରୋ : ଓୟୁଏଟି ବିରୋଧରେ ହୋଇଥିବା ସାଂଘାତିକ ଷଡ଼ଯନ୍ତ୍ରକୁ ନେଇ ଲଗାତାର ଭାବେ ଆମେ ଖବର ପ୍ରସାରଣ କରିଥିଲୁ । ଦେଖାଇଥିଲୁ ଦୀର୍ଘ ବର୍ଷ ଧରି ଓୟୁଏଟିର ଯେଉଁ ଜମିରେ ଗବେଷଣା ଚାଲିଛି, ସେହି ଜମିକୁ କେମିତି ଗୋଟିଏ ପରେ ଗୋଟିଏ ଅନ୍ୟ ବିଭାଗ ହାତକୁ ଟେକି ଦିଆଯାଇଛି । ଆଉ କିଛି ଜମିକୁ ଓୟୁଏଟି କର୍ତ୍ତୁପକ୍ଷଙ୍କ ଅଜାଣତରେ ନେବା ପାଇଁ ଷଡଯନ୍ତ୍ର ଚାଲିଛି । ଖବର ପ୍ରସାରଣ ପରେ ଓୟୁଏଟି ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରରେ ରୋକ୍ ଲଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି. ସିଂଦେଓ ।

ଓୟୁଏଟି ଜମିକୁ ନେବା ପାଇଁ ଚକ୍ରାନ୍ତ କରାଯାଉଥିବା ସାମନାକୁ ଆସିବା ପରେ, ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ଉଦବେଗ ପ୍ରକାଶ କରିଥିଲେ । ଗବେଷଣା ପାଇଁ ଜମି ନରହିଲେ ରାଜ୍ୟର ଏକମାତ୍ର କୃଷି ବିଶ୍ବବିଦ୍ୟାଳୟ ମାନ୍ୟତା ହରାଇପାରେ ବୋଲି ଆଶଙ୍କା କରିଥିଲେ । ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି, ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ଏବେ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିବା ପରେ ଛାତ୍ରଛାତ୍ରୀ ଏହାକୁ ସ୍ୱାଗତ କରିଛନ୍ତି ।

ଓୟୁଏଟି ଆଳୁ ଗବେଷଣା ପାଇଁ ବ୍ୟବହାର କରୁଥିବା ଜମିକୁ ୨୦୧୯ ନେଇଯାଇଥିଲେ ନବୀନ ସରକାର । ଏଥିସହ କାଜୁ ଗବେଷଣା ପାଇଁ ବ୍ୟବହାର କରୁଥିବା ଜମିକୁ ନେବା ପାଇଁ ମଧ୍ୟ ଉଦ୍ୟମ ଚାଲିଥିଲା । ତେବେ ପ୍ରଶ୍ନ ଉଠୁଛି, ଓୟୁଏଟି ଜମି ନେବା ପାଇଁ ହୋଇଥିବା ଷଡଯନ୍ତ୍ରରେ ବ୍ରେକ ଲାଗିବ ତ ? ଓୟୁଏଟି ବିରୋଧରେ ହୋଇଥିବା ଷଡଯନ୍ତ୍ରର ପର୍ଦାଫାଶ ହେବ ତ ?