କନକ ବ୍ୟୁରୋ: ଓୟୁଏଟି ବିରୋଧରେ ହୋଇଥିବା ଷଡଯନ୍ତ୍ରକୁ ନେଇ ବାରମ୍ବାର ଆମେ ପ୍ରସାରଣ କରିଥିଲୁ । ତଥ୍ୟ ପ୍ରମାଣ ସହ ଦେଖାଇଥିଲୁ ଏହି ଶିକ୍ଷାନୁଷ୍ଠାନ ବିରୋଧରେ କେମିତି ଷଡଯନ୍ତ୍ର କରାଯାଇଛି। ଆଉ ଖବର ପ୍ରସାରଣ ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର ।  

ରାଜ୍ୟର ଏକମାତ୍ର କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ବିରୋଧରେ ଲଗାତାର ଖବର ପ୍ରସାରଣ ପରେ ଏହାକୁ ଗୁରୁତର ସହ ନେଇଛନ୍ତି ମୋହନ ସରକାର। ବିଶ୍ବବିଦ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ସମୀକ୍ଷା ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବ । ଏନେଇ ଗଣମାଧ୍ୟମକୁ କୃଷି ମନ୍ତ୍ରୀ କେ.ଭି. ସିଂଦେଓ  ସଂକେତ ମଧ୍ୟ ଦେଇଛନ୍ତି। ବିଜେଡି ସରକାରକୁ ଟାର୍ଗେଟ କରି କହିଛନ୍ତି,  ପୂର୍ବ ସରକାର ସମୟରେ ଏଭଳି ଅନେକ ଘଟଣା ଘଟିଛି । ତଦନ୍ତ ହେବା ପରେ ରିପୋର୍ଟ ଆସିଲେ ଜଣାପଡିବ। 

ପ୍ରଥମେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ପାଇଁ ଓୟୁଏଟିର ଗବେଷଣା ଜମି ନେଇ ଯାଇଥିଲେ ତତ୍କାଳୀନ ରାଜ୍ୟ ସରକାର । ୨୦୧୯ରେ ବରମୁଣ୍ତା ବସଷ୍ଟାଣ୍ତର ସଂପ୍ରସାରଣ ପାଇଁ ୨୫ ବର୍ଷର ଆଳୁ ଗବେଷଣା ଓ ଧାନ ବିହନ ଗବେଷଣା ପାଇଁ ବ୍ୟବହାର ହେଉଥିବା ଜମିକୁ ମଧ୍ୟ ନେଇ ଯାଇଥିଲେ। ପରବର୍ତ୍ତି ସମୟରେ ୨୦ ବର୍ଷର ସର୍ବଭାରତୀୟ କାଜୁ ଗବେଷଣା କେନ୍ଦ୍ର ଜମିକୁ ବି ଛଡ଼ାଇ ନେବାକୁ ମଧ୍ୟ ଯୋଜନା ହୋଇଛି। ଯାହାକୁ ନେଇ ବିଶ୍ବବିଦ୍ୟାଳୟ କୁଳପତି, ପୂର୍ବତନ କୁଳପତି , ଛାତ୍ରଛାତ୍ରୀ ଉଦବେଗ ପ୍ରକାଶ କରିଥିଲେ। 
 
ଅନ୍ୟ କୃଷି ବିଶ୍ବବିଦ୍ୟାଳୟ ତୁଳନାରେ ଓୟୁଏଟି ପାଖରେ ଥିବା ଜମିର ପରିମାଣ ବହୁତ କମ ରହିଛି। ଏହା ସତ୍ବେ ଓୟୁଏଟିର ଗୋଟିଏ ପରେ ଗୋଟିଏ ଜମି ଅନ୍ୟ ବିଭାଗ ହାତକୁ ଟେକିଦେବା ପଛରେ କାହାର ହାତ ରହିଛି ତାହା ସାମନାକୁ ଆସିବା ଆବଶ୍ୟକ। ଏଥିସହ ଓୟୁଏଟି ବିରୋଧରେ ହୋଇଥିବା ଷଡଯନ୍ତ୍ରରେ ରୋକ୍ ଲାଗିବା ଜରୁରୀ ହୋଇପଡିଛି ।