କନକ ବ୍ୟୁରୋ : ମାନୁଆଲ ଚାବି ସହିତ ଡିଜିଟାଲ ଲକ୍ ବ୍ୟବସ୍ଥାରେ ରହିବ ଓଟିଇଟି ପ୍ରଶ୍ନପତ୍ର । ବୋର୍ଡରୁ ପରୀକ୍ଷାକେନ୍ଦ୍ର ଅଧିକାରୀ ଗ୍ରହଣ କରିବା ପର୍ଯ୍ୟନ୍ତ ଜିପିଏସ ଟ୍ରାକିଂ । ସିସିଟିଭି ନଜରରେ ରହିବ ଷ୍ଟ୍ରଙ୍ଗ ରୁମ୍‌ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା ଆସନ୍ତା ୨୭ ତାରିଖରୁ ଠାରୁ ଆରମ୍ଭ ହେବାକୁ ଯାଉଛି ।  ପ୍ରଶ୍ନପତ୍ର ସହ ପରୀକ୍ଷା ପରିଚାଳନା ସୁରକ୍ଷିତ ଭାବେ କରିବା ପାଇଁ ବୋର୍ଡ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ପ୍ରଶ୍ନ ପତ୍ର ଲିକ୍ ନହେବା ଲାଗି ପ୍ରଶ୍ନପତ୍ରରେ ୱାଟର ମାର୍କ ଏବଂ ପ୍ରତି ପ୍ରଶ୍ନରେ ସିରିଏଲ କୋଡ୍‌ ନମ୍ୱର ରହିଛି । ଏହାଦ୍ବାରା ପ୍ରଶ୍ନପତ୍ର ଲିକ୍‌ ହେଲେ କେଉଁ ସେଣ୍ଟର କିମ୍ବା ଏବଂ କାହାଠାରୁ ଲିକ୍‌ ହେଲା ଜାଣିହେବ । 

Advertisment

ଏହାସହ ପ୍ରଶ୍ନପତ୍ର ସେଣ୍ଟରକୁ ଯିବାବେଳେ, ଟିଣ ବାକ୍ସରେ ଦୁଇଟି ମାନୁଆଲ ଚାବି ସହିତ ଡିଜିଟାଲ ଲକ୍ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ବୋର୍ଡରୁ ଯିବା ଠାରୁ ସେଣ୍ଟରରେ ଅଧିକାରୀ ଗ୍ରହଣ କରିବା ପର୍ଯ୍ୟନ୍ତ ଜିପିଏସ ଟ୍ରାକିଂରେ ରହିବ । ସେଣ୍ଟର ସୁପରିଟେଣ୍ଡ ପ୍ରଶ୍ନପତ୍ର ଗ୍ରହଣ କରିବା ପରେ ଏହାକୁ ଷ୍ଟ୍ରଙ୍ଗ ରୁମରେ ସିସିଟିଭି କଭରେଜରେ କଡା ସୁରକ୍ଷା ଭିତରେ ରଖାଯିବ । ବୋର୍ଡ କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ ମାଧ୍ୟମରେ ପୁରା ପକ୍ରିୟାକୁ ଟ୍ରାକ କରାଯିବ । 

ଗୁରୁବାର ୨୪ଟି ସ୍ଥାନକୁ ଏବଂ ୨୬ ତାରିଖରେ ବଳକା ସବୁ ସେଣ୍ଟରକୁ ପ୍ରଶ୍ନ ପତ୍ର ପହଞ୍ଚିବ । ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଓଟିଇଟି ପରୀକ୍ଷା ୧୯୩ଟି ସେଣ୍ଟରରେ ୭୫ ହଜାର ୪୦୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର ଅନିୟମିତତା ଯୋଗୁ ପରୀକ୍ଷାରେ ବିଭ୍ରାଟ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତରେ ବୋର୍ଡ ଉପସଭାପତି ସମେତ ୮ ଜଣ ଗିରଫ ହୋଇଥିଲେ । ପ୍ରଶ୍ନପତ୍ର କେଳେଙ୍କାରି ପରେ ବୋର୍ଡ ପକ୍ଷରୁ ପରୀକ୍ଷା ପରିଚଳନା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।